ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ଦେଶରେ 46 ହଜାରରୁ ଅଧିକ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଲାଣି। ଦିଲ୍ଲୀର ଲୁଟିୟନ୍ସ ଜୋନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଲ୍ଡିଂ ଶାସ୍ତ୍ରୀ ଭବନରେ କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଆଇନ ମନ୍ତ୍ରଣାଳୟର ଜଣେ କର୍ମଚାରୀ କୋରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହା ପରେ ଶାସ୍ତ୍ରୀ ଭବନର କିଛି ଅଂଶକୁ ସିଲ୍ କରାଯାଇଛି।
ଅଧିକାରୀ କହିଛନ୍ତି ଯେ ଶାସ୍ତ୍ରୀ ଭବନର ଚତୁର୍ଥ ମହଲାରେ ଅବସ୍ଥିତ ଆଇନ ମନ୍ତ୍ରଣାଳୟର ଜଣେ କର୍ମଚାରୀ କୋରୋନା ପଜିଟିଭ୍ । ଏହା ପରେ ବିଲ୍ଡିଂର କିଛି ଅଂଶକୁ ସିଲ୍ କରାଯାଇଛି। ଲୁଟିୟନ୍ସ ଜୋନରେ ଏକ ସରକାରୀ କୋଠାକୁ ସିଲ୍ କରିବାର ଏହା ହେଉଛି ଦ୍ବିତୀୟ ମାମଲା। ଏହାପୂର୍ବରୁ ନିତି ଆୟୋଗର କୋଠାକୁ ସିଲ୍ କରାଯାଇଥିଲା ।
ଆଇନ ମନ୍ତ୍ରଣାଳୟର କର୍ମଚାରୀ କୋରୋନା ପଜିଟିଭ୍ ପାଇବା ପରେ ଚିନ୍ତା ବଢିଛି। ତାଙ୍କ ସହ ଯୋଗାଯୋଗ କରୁଥିବା ଲୋକଙ୍କ ସନ୍ଧାନ ଆରମ୍ଭ ହୋଇଛି। ଏହା ସହିତ ଶାସ୍ତ୍ରୀ ଭବନର ଏକ ୱିଙ୍ଗରେ ଏକ ନମ୍ବରରୁ ତିନି ଗେଟ୍ ସିଲ୍ କରାଯାଇଛି । ଏଥିସହ ସମଗ୍ର ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି। ବୁଧବାର ପର୍ଯ୍ୟନ୍ତ ଲିଫ୍ଟ ଏବଂ ଗେଟ୍ ବନ୍ଦ ରହିବ।
ଏହାପୂର୍ବରୁ ରାଜୀବ ଗାନ୍ଧୀ ଭବନରେ ଅବସ୍ଥିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସିଲ୍ କରାଯାଇଥିଲା। ସେଠାରେ ମଧ୍ୟ ଜଣେ କର୍ମଚାରୀ କୋରୋନା ପଜିଟିଭ୍ ଥିଲେ । ଏଥିସହ ପୁରା କୋଠାକୁ ସାନିଟାଇଜ୍ କରାଯାଇଥିଲା। ଏହା ବ୍ୟତୀତ ଦିଲ୍ଲୀର CGO କମ୍ପ୍ଲେକ୍ସରେ CRPF ଓ BSF ମୁଖ୍ୟାଳୟକୁ ମଧ୍ୟ ସିଲ୍ କରାଯାଇଥିଲା ।