ନୂଆଦିଲ୍ଲୀ: ଲକଡାଉନ ଅବଧି ବଢିବା ପରେ ରଦ୍ଦ ହେଲା ଯାତ୍ରୀ ବିମାନ ସେବା । ମେ 17 ମଧ୍ୟରାତ୍ରୀ ଯାଏଁ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରାଯାଇଛି । ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ଡିଜିସିଏ ଏକ ସର୍କୁଲାରରେ କହିଛି ଯେ, ‘‘ଅନ୍ତର୍ଜାତୀୟ ଓ ଘରୋଇ ବିମାନ କମ୍ପାନୀ ଭାରତରୁ ଅନ୍ୟ ଦେଶ କିମ୍ବା ଅନ୍ୟ ଦେଶରୁ ଭାରତକୁ ତଥା ଭାରତରେ ଘରୋଇ ଉଡାଣ ପରିଚାଳନା ପୁଣି ଆରମ୍ଭ କରିବା ନେଇ ସେମାନଙ୍କୁ ଉଚିତ ସମୟରେ ସୂଚିତ କରାଯିବ ।
କୋରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିସହ ସମସ୍ତ ଯାତ୍ରୀ ବିମାନ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ମେ 3 ରେ ଲକଡାଉନ ଶେଷ ହେବାକୁ ଥିବା ବେଳେ ଶୁକ୍ରବାର ପୁଣି ଗୃହ ମନ୍ତ୍ରାଣଳୟ ପକ୍ଷରୁ ଏହି ଅବଧିକୁ ମେ 17 ଯାଏଁ ବୃଦ୍ଧି କରାଯାଇଛି ।
ତେବେ କାର୍ଗୋ ଉଡାଣ, ଚିକିତ୍ସା ସାମଗ୍ରୀ ସମ୍ଭନ୍ଧୀୟ ଉଡାଣ ଓ ଡିଜିଏସ ସ୍ବୀକୃତ ବିଶେଷ ଉଡାଣ ସଞ୍ଚାଳନ ପାଇଁ ଅନୁମତି ରହିଛି ।