ବିଶ୍ବ ମହାମାରୀ କୋରୋନା ଭାଇରସ ଦୁର୍ବିପାକକୁ ଦୃଷ୍ଟିରେ ରଖି ଏହାର ନୂତନ ପ୍ରତିଷେଧକ ଟୀକା ପ୍ରସ୍ତୁତି, ପରୀକ୍ଷଣ ଏବଂ କୋଭିଡ-19 ଚିକିତ୍ସା ବ୍ୟବସ୍ଥା କ୍ଷେତ୍ରରେ ମିଳିମିଶି ଏକାଠି କାମ କରିବା ଏବଂ ସାରା ବିଶ୍ବରେ ଏହାର ଫଳାଫଳକୁ ସମାନ ଭାବରେ ପହଞ୍ଚାଇବା ଲାଗି ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ଏବଂ ବିଶ୍ବ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ସମୂହ ଅଦ୍ଭୂତପୂର୍ବ ଭାବରେ ଅଙ୍ଗୀକାରବଦ୍ଧ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା 24 ଲକ୍ଷ ଲୋକଙ୍କୁ ଏହି ସର୍ବବ୍ୟାପୀ ମହାମାରୀ ସଂକ୍ରମିତ କରିସାରିଛି ଏବଂ ଏହା ଦ୍ବାରା 1,60,000ରୁ ଅଧିକ ଲୋକଙ୍କ ଜୀବନହାନୀ ଘଟିଛି । ସାରା ବିଶ୍ବର ପାରିବାରିକ ଜୀବନ, ସମାଜ, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ଅର୍ଥନୀତି ଉପରେ ଏହାର କୁପ୍ରଭାବ ଦୃଷ୍ଟିଗୋଚର ହୋଇଛି ଏବଂ କୌଣସି ଗୋଟିଏ ଦେଶ ଉପରେ ଏହି ବିପତ୍ତିର ଆଶଙ୍କା ରହିଥିବା ପର୍ଯ୍ୟନ୍ତ ସମଗ୍ର ବିଶ୍ବ ପ୍ରତି ବିପଦ ଆଶଙ୍କା ରହିଛି ।
ସୁତରାଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ଶାରୀରିକ ଦୂରତା ବଜାୟ ରଖିବା ଦିଗରେ ବର୍ତ୍ତମାନ ପ୍ରଣୀତ ସୁରକ୍ଷା ପଦକ୍ଷେପ ଅନୁସରଣ କରାଯାଉଥିବା ସମୟରେ ଏବଂ ପରୀକ୍ଷା ଦ୍ବାରା ସଂକ୍ରମିତ ବୋଲି ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇ କୋଭିଡ-19ର ପ୍ରତିଷେଧକ ଟୀକା, ରୋଗର ନିଦାନ ଏବଂ ଚିକିତ୍ସା ପ୍ରଣାଳୀ ନିରୂପଣର ଜରୁରୀ ଆବଶ୍ୟକତା ଉପୁଜିଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡ଼ଃ ଟେଡ୍ରୋସ ଆଡାହାନୋମ ଘେବ୍ରେୟିସସ କହିଛନ୍ତି ଯେ ଏକତା ହିଁ କୋଭିଡ-19କୁ ରୋକିବାର ଏକମାତ୍ର ଉପାୟ ।
ଗଣମାଧ୍ୟମକୁ ଦେଇଥିବା ଏକ ବିବୃତ୍ତିରେ ସେ କହିଛନ୍ତି, ‘ସମସ୍ତ ଦେଶ, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଂଶୀଦାର ସଂଗଠନ, ପ୍ରସ୍ତୁତକାରୀ ସଂସ୍ଥା ଏବଂ ବେସରକାରୀ କ୍ଷେତ୍ର ନିଶ୍ଚିତ ରୂପରେ ଏକତ୍ର ହୋଇ କାମ କରିବା ଏବଂ ବିଜ୍ଞାନ ଓ ଗବେଷଣାଲବ୍ଧ ଫଳାଫଳ ଯେପରି ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରେ ତାହା ସୁନିଶ୍ଚିତ କରିବା ଆବଶ୍ୟକ ।’
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରେସ ବିବୃତ୍ତି ଅନୁସାରେ ଏ ଦିଗରେ କାମ ଆରମ୍ଭ ହୋଇ ସାରିଲାଣି । ପ୍ରତିଷେଧକ ଟୀକା ପ୍ରସ୍ତୁତି ଓ ପରୀକ୍ଷଣ, ଗବେଷଣା ଏବଂ ତତ୍ ସଂଲଗ୍ନ ନିୟନ୍ତ୍ରକ ପଦକ୍ଷେପର ନିର୍ଦ୍ଦିଷ୍ଟ ଏବଂ ସମରୂପ ମାନଦଣ୍ଡ ନିର୍ଦ୍ଧାରଣ ସହିତ ନୂତନ ଧରଣର ରୋଗ ଚିକିତ୍ସା ପଦ୍ଧତି ପ୍ରସ୍ତୁତି ଏବଂ ପ୍ରତିଷେଧକ ଟିକା ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ପ୍ରଦାନ ବ୍ୟବସ୍ଥା ସଂପର୍କିତ ମାପଦଣ୍ଡର ପରିଭାଷା ନିରୂପଣ ପାଇଁ ଜାନୁଆରୀ ମାସରୁ ଶହ ଶହ ସଂସ୍ଥାର ବିଭିନ୍ନ ଗବେଷକମାନଙ୍କ ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମିଳିତ ଭାବେ କାର୍ଯ୍ୟ କରିଆସୁଛି ।
ସାରା ବିଶ୍ବରେ ବ୍ୟବହୃତ ରୋଗ ନିରୂପଣ ସଂପର୍କିତ କେତେକ ପଦ୍ଧତିକୁ ସଂଗଠନ ପକ୍ଷରୁ ପୂର୍ବାନୁମୋଦିତ କରାଯାଇଛି ଏବଂ ଆହୁରି ଅଧିକ ପଦ୍ଧତି ଅନୁମୋଦନ ପ୍ରକ୍ରିୟାରେ ରହିଛି । ଏବଂ କୋଭିଡ-19 ବିରୋଧରେ ଚାରୋଟି ରୋଗ ଚିକିତ୍ସା ପ୍ରଣାଳୀର ସୁରକ୍ଷା ଏବଂ କାର୍ଯ୍ୟକ୍ଷମତା ଶକ୍ତି ଆକଳନ ପାଇଁ ଏକ ବିଶ୍ବସ୍ତରୀୟ ପରୀକ୍ଷଣ ପାଇଁ ସଂଗଠନ ସମନ୍ବୟ ସ୍ଥାପନ କରୁଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ବିଭିନ୍ନ ରୋଗ ନିଦାନ ଓ ଚିକିତ୍ସା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ସେଗୁଡ଼ିକୁ ଏକତ୍ର କରିବା ସହିତ ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ବିବେଚିତ କୌଣସି ଔଷଧ ବା ଉତ୍ପାଦକୁ ଏହାକୁ ଆବଶ୍ୟକ କରୁଥିବା ବିଶ୍ବର ଶହ ଶହ କୋଟି ଲୋକଙ୍କ ପାଖରେ ପହଞ୍ଚାଇବା ହିଁ ଏକ ଆହ୍ବାନ ରୂପେ ଉଭା ହୋଇଛି । ଉଦାହରଣ ସ୍ବରୂପ, ଏଚଆଇଭି ଚିକିତ୍ସାର ପ୍ରାରମ୍ଭିକ ପର୍ଯ୍ୟାୟ ଏବଂ 2009ରେ ଏଚ୍1ଏନ୍1 ପ୍ରାଦୁର୍ଭାବ ସଂପର୍କିତ ଅତୀତର ଅଭିଜ୍ଞତାରୁ ଜଣାଯାଏ ଯେ, ରୋଗ ଚିକିତ୍ସା ଉପକରଣ ବା ଉପଚାର ପ୍ରକ୍ରିୟା ଉପଲବ୍ଧ ହେବା ସତ୍ତ୍ବେ ସେଗୁଡ଼ିକୁ ସମସ୍ତଙ୍କ ପାଇଁ ସମାନ ଭାବେ ଉପଲବ୍ଧ କରାଯାଇ ପାରିନଥିଲା ।
ତେଣୁ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଫ୍ରାନ୍ସର ରାଷ୍ଟ୍ରପତି, ୟୁରୋପୀୟ କମିସନ ଅଧ୍ୟକ୍ଷ ଏବଂ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଅନଲାଇନ କାର୍ଯ୍ୟକ୍ରମରେ ବିଶ୍ବ ନେତାମାନେ ଏକତ୍ର ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଜନୈତିକ, ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ଏକ ଅଭୂତପୂର୍ବସ୍ତରର ଅଂଶୀଦାରୀ ମନୋଭାବ ପ୍ରଦର୍ଶନ ସହିତ ସାରା ବିଶ୍ବରେ ନ୍ୟାୟ ସଂଗତ ପହଞ୍ଚ ଦିଗରେ କାର୍ଯ୍ୟ କରିବାକୁ ସେମାନେ ସଂକଳ୍ପବଦ୍ଧ ହୋଇଥିଲେ । ଅତୀତ ଅଭିଜ୍ଞତା ଉପରେ ଆଧାରିତ ଏକ ଦୃଢ଼ ଓ ଏକତାବଦ୍ଧ ସ୍ବର ଉତ୍ତୋଳନ ସହିତ ସାରା ବିଶ୍ବ, ବିଭିନ୍ନ ସମାଜ ଓ ପରସ୍ପର ପ୍ରତି ଉତ୍ତରଦାୟୀ ହେବାକୁ ସେମାନେ ସମ୍ମତି ପ୍ରକାଶ କରିଥିଲେ ।
ଡ଼ଃ ଟେଡ୍ରୋସ କହିଛନ୍ତି, ‘କୋଭିଡ-19ର ପ୍ରତିରୋଧ, ଚିହ୍ନଟ, ଚିକିତ୍ସା ଏବଂ ଏହାକୁ ପରାସ୍ତ କରିବା ପାଇଁ ସବୁ ଔଷଧ ଓ ଉପକରଣକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ଲାଗି ଆମେ ସଭିଏଁ ଏକତ୍ର ଅଙ୍ଗୀକାରବଦ୍ଧ । କୌଣସି ଦେଶ କିମ୍ବା କୌଣସି ସଂଗଠନ ଏହାକୁ ଏକାକୀ କରିପାରିବ ନାହିଁ । ସମସ୍ତଙ୍କ ପାଇଁ କୋଭିଡ-19 ଚିକିତ୍ସାର ଔଷଧ ଓ ଉପକରଣ ଉପଲବ୍ଧ କରାଇବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦ୍ବାରା ଆମେ ବିଭିନ୍ନ ସଂଗଠନର କାର୍ଯ୍ୟ ପ୍ରଣାଳୀକୁ ଏକତ୍ର ଭାବରେ ଗତିଶୀଳ କରାଇବା ସହିତ ସବୁଥିରେ ଉନ୍ନତ ମାନ ସ୍ଥାପନ କରିପାରିବା ।’