ସି.ଉଦୟ ଭାସ୍କର
ରବିବାର ଦିନ (ଏପ୍ରିଲ 5) ଏହି ମତାମତ ଲେଖିବା ସମୟରେ, ଭାରତରେ କୋଭିଡ-19 ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା 3500କୁ ଟପି ଯାଇଛି ଏବଂ ଅଦୃଶ୍ୟ ଶତ୍ରୁ ରୂପରେ ବ୍ୟାପୁଥିବା ଏହି ଭୂତାଣୁ ଯୋଗୁଁ ଖୁବ ଶୀଘ୍ର ଏହି ସଂଖ୍ୟା 4000 ଉପରକୁ ଚାଲିଯିବା ସମ୍ଭାବନା ରହିଛି ।
ଉଦ୍ବେଗର କାରଣ ହେଉଛି ଯେ, ଗୋଟିଏ ଆକଳନ ଅନୁସାରେ, ମାର୍ଚ୍ଚ ମାସରେ ଦିଲ୍ଲୀରେ ଆୟୋଜିତ ଏକ ଧାର୍ମିକ ସମାବେଶ, ତବଲିଗୀ ଜମାତ ଯୋଗୁଁ ହିଁ 30 ପ୍ରତିଶତ ସଂକ୍ରମଣ ସଂଗଠିତ ହୋଇଛି । ନିଜାମୁଦ୍ଦିନରେ ଆୟୋଜିତ ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିବା ସଦସ୍ୟମାନେ ଯଥାଶୀଘ୍ର ଦେଶର ବିଭିନ୍ନ ଭାଗକୁ ଫେରିଯାଇଥିଲେ ଏବଂ ବର୍ତ୍ତମାନ ଭାରତର ଅଧିକାଂଶ ଭାଗରେ ଚିହ୍ନଟ ହୋଇଥିବା କୋଭିଡ ସଂକ୍ରମଣ ମାମଲାର ତବଲିଗୀ ଜମାତ ସମାବେଶ ସହ ସଂପର୍କ ରହିଛି ।
ଏଭଳି ଭାବରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ କ୍ରମାନ୍ବୟରେ ରହିଛନ୍ତି: ତାମିଲନାଡୁ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଉତ୍ତର ପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର, ଆସାମ, କର୍ଣ୍ଣାଟକ, ଆଣ୍ଡାମାନ ଏବଂ ନିକୋବର, ଉତ୍ତରାଖଣ୍ଡ, ହରିୟାଣା, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, କେରଳ, ଅରୁଣାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡ । ତବଲିଗୀ ଜମାତର ସଦସ୍ୟମାନେ ସେମାନଙ୍କର ଶରୀରରେ ରୋଗର ଲକ୍ଷଣ ଏବଂ ନିକଟ ଅତୀତରେ କରିଥିବା ଯାତ୍ରା ବିବରଣୀ ସଂପର୍କରେ, ଏବଂ ନିଜାମୁଦ୍ଦିନରୁ ଫେରିଆସିବା ପରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେ ସଂପର୍କରେ ଜଣାଇବାକୁ ଅନାଗ୍ରହ ପ୍ରକାଶ କରୁଥିବାରୁ ଆଗକୁ ଏହି ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରନ୍ତି ।
ପରିଣତି ସ୍ବରୂପ, ଭାରତରେ କ୍ରୋଧ ଓ ଆକ୍ରୋଶ ଦେଖାଦେଇଛି ଏବଂ ଟେଲିଭିଜନରେ ଓ ସାମାଜିକ ଗଣମାଧ୍ୟମର ପକ୍ଷପାତିତାପୂର୍ଣ୍ଣ ଖବର ପ୍ରସାରଣ ଯୋଗୁଁ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତବଲିଗୀ ବିରୋଧୀ ଭାବନା ସୃଷ୍ଟି ହୋଇଛି, ଯାହାକି ଏକ ମୁସଲମାନ ବିରୋଧୀ ମନୋଭାବର ଆକାର ଧାରଣ କରୁଛି । ସାମାଜିକ-ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତର ଧ୍ରୁବୀକରଣର ଏକ ପରିବେଶରେ, ଭାରତରେ ଏବେ କୋଭିଡ ଭାଇରସର ଏକ ଧାର୍ମିକ ଡିଏନ୍ଏ ବା ତତ୍ତ୍ବଗୁଣ ରହିଥିବା ଭଳି ବିଚାର କରାଯାଉଛି ଏବଂ କୋରୋନା ଓ କୋରାନା ମଧ୍ୟରେ ଲାଗି ରହିଥିବା ଧ୍ବନିତାତ୍ତ୍ବିକ ଖେଳ ବାସ୍ତବରେ କ୍ଷତିକାରକ ଏବଂ ଅବାଞ୍ଛନୀୟ । ସାମାଜିକ ଗଣମାଧ୍ୟମରେ (ମିଥ୍ୟା ଖବର ଏବଂ ଘୃଣା ଉଦ୍ରେକକାରୀ ବାର୍ତ୍ତା ଲାଗି ପ୍ରାରମ୍ଭିକ ପରିବେଶ ତନ୍ତ୍ର) ପ୍ରସାରିତ ଅଯଥାର୍ଥ ଅନୁମାନ ଭିତ୍ତିକ ଖବର ଏବଂ ରାଜନୈତିକ ବାଦାନୁବାଦ ଯୋଗୁଁ ଏଭଳି ଏକ ଜାତୀୟ ସ୍ବାସ୍ଥ୍ୟ ସଂକଟ ସ୍ଥିତିରେ ବିଜେପି ଏବଂ ଆର୍ଏସ୍ଏସ୍ର ସାଂପ୍ରଦାୟିକ ଭାବାବେଗକୁ ଖୋରାକ ମିଳୁଛି ବୋଲି ସନ୍ଦେହ ମୁଣ୍ଡ ଟେକିଛି ।
ଏଭଳି ସ୍ଥିତିରେ ‘କୋଭିଡ-19 ପ୍ରାଦୁର୍ଭାବ ଦୃଷ୍ଟିରୁ ଏହାକୁ କୌଣସି ‘ସାଂପ୍ରଦାୟିକ ରଙ୍ଗ’ ଦେବା କିମ୍ବା କୌଣସି ‘ବିଭେଦ ଓ ପ୍ରଭେଦ’ ସୃଷ୍ଟି କରିବାରୁ ନିବୃତ୍ତ ରହିବାକୁ’ ତାଙ୍କ ଦଳର ନେତାମାନଙ୍କୁ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ନିବେଦନ ଉତ୍ସାହଜନକ ଥିଲା । ଖବର ଅନୁସାରେ, ଦିଲ୍ଲୀରେ ଆୟୋଜିତ ଏକ ବୈଠକରେ (4 ଏପ୍ରିଲ) ବରିଷ୍ଠ ବିଜେପ ନେତାମାନେ ଗଣମାଧ୍ୟମକୁ ଜଣାଇଥିଲେ ଯେ, ‘ଆମକୁ ଦିଆଯାଇଥିବା ଏକ ନିର୍ଦ୍ଦେଶନାମାରେ ରାଷ୍ଟ୍ରର ନେତୃତ୍ବ ନେବା କ୍ଷେତ୍ରରେ ଆମର ଏକ ଗୁରୁ ଦାୟିତ୍ବ ରହିଛି ବୋଲି କୁହାଯାଇଛି । ସାରା ବିଶ୍ବରେ ସବୁ ଧର୍ମର, ପ୍ରତ୍ୟେକ ଲୋକଙ୍କୁ ଏହି ଭୂତାଣୁ ଓ ରୋଗ ସମ୍ବେଦନଶୀଳ କରିଛି; ଉତ୍ତେଜିତ କରିବା ଭଳି କୌଣସି ବକ୍ତବ୍ୟ ବା ମନ୍ତବ୍ୟ କେହି ଦେବା ଉଚିତ ନୁହେଁ ।’
ନିର୍ଦ୍ଦିଷ୍ଟ ଭାବେ ତବଲିଗୀ ଜମାତର ନେତାମାନଙ୍କ ବିରୋଧରେ ଉଠିଥିବା ବିଭିନ୍ନ ଅଭିଯୋଗ ଉପରେ ଏବଂ ଉତ୍ତେଜକ ମନ୍ତବ୍ୟ ନଦେବାର ଆବଶ୍ୟକତା ଉପରେ ମତାମତ ଦେଇ ବିଜେପିର ଜଣେ ଦଳୀୟ ନେତା କହିଲେ, ‘ତବଲିଗୀ ପ୍ରସଙ୍ଗ ଉଠିବା ସମୟରେ ଏହାର ପୁନରାବୃତ୍ତି କରାଯାଇଥିଲା । ଏହାକୁ କେହି ସାଂପ୍ରଦାୟିକ ପ୍ରସଙ୍ଗ ରୂପେ ଗଢ଼ିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ସଂଖ୍ୟାଲଘୁ ସଂପ୍ରଦାୟର ନେତାମାନେ ଚାହିଁଲେ ଏହା ଉପରେ ମନ୍ତବ୍ୟ ଦେଇପାରିବେ । ଆମକୁ ଏହି ଭାଇରସ ବିରୋଧୀ ଲଢ଼େଇରେ ଏକତ୍ରିତ ହେବାକୁ ପଡ଼ିବ ।’
ବିଶ୍ବାସଯୋଗ୍ୟ ପ୍ରମାଣରୁ ସୂଚନା ମିଳେ ଯେ, ମାର୍ଚ୍ଚ ମଧ୍ୟଭାଗରେ ତବଲିଗୀ ଜମାତର ନେତାମାନଙ୍କ ଦ୍ବାରା କୋଭିଡ ସଂପର୍କିତ ନିର୍ଦ୍ଦେଶନାମାର ଉଲ୍ଲଂଘନ କରାଯାଇଥିଲା, ଏବଂ ଏହା ଚରମ ନିର୍ବୋଧତା କାରଣରୁ କିମ୍ବା ଭ୍ରାନ୍ତ ଆସ୍ଥାଜନିତ ବିଶ୍ବାସଘାତକତା କାରଣରୁ ହୋଇଥିଲା, ତାହାକୁ ଏକ ତଥ୍ୟଭିତ୍ତିକ ଏବଂ ବାସ୍ତବ ଅନୁସନ୍ଧାନ ଜରିଆରେ ନିରୂପଣ କରିବା ଆବଶ୍ୟକ ହେବ । ଏବଂ ତବଲିଗୀ ଜମାତର ରୂପରେଖ ଏବଂ କଠୋର ଆଚରଣନିଷ୍ଠ ଇସଲାମ ଧର୍ମ, ଜିହାଦ, ଆତଙ୍କବାଦ ଆଦିକୁ ସଂଯୋଗ କରି ସାରା ବିଶ୍ବରେ ଏହା ସଂପର୍କରେ ଗଢ଼ି ଉଠିଥିବା ସାମୂହିକ ମନୋଭାବକୁ ବିଚାରକୁ ନେଇ ଏହି ଅନୁସନ୍ଧାନରେ ବିଳମ୍ବ କରିବା ଉଚିତ ନୁହେଁ ।
ଦୁଃଖର କଥା ଯେ, ନିଜାମୁଦ୍ଦିନ ଘଟଣା ଏବଂ କୋଭିଡ ଭାଇରସ ସହିତ ଏହାର ସଂଯୋଗ ସ୍ଥାପନ କରାଯିବାର ପ୍ରଥମ ଦିନରୁ ହିଁ ନିର୍ଦ୍ଦିଷ୍ଟ କେତେକ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ ଉନ୍ମାଦଭରା ଢଙ୍ଗରେ ଉତ୍ତେଜକ ଖବର ପରିବେଷଣରେ ଲାଗି ପଡ଼ିଛନ୍ତି । ନକଲି ଖବରର ମନଇଚ୍ଛା ପ୍ରସାରଣ କରାଯାଉଛି ଏବଂ ନିକଟରେ ଦିଲ୍ଲୀର ଅନ୍ୟ ଏକ ଭାଗରେ ଅବସ୍ଥିତ ଶାହୀନ ବାଗରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ସହିତ ନିଜାମୁଦ୍ଦିନର ତବଲିଗୀ ଜମାତ କାର୍ଯ୍ୟକ୍ରମକୁ ଅଯଥା ସଂଯୋଗ କରାଯାଇଛି ।
ଅନ୍ୟାନ୍ୟ କେତେକ କ୍ଷେତ୍ରରେ, ବିଦ୍ବେଷ ଭାବ ସୃଷ୍ଟିକାରୀ ଭାଷଣ ବିରୋଧରେ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ କଠୋର ଭାବରେ କାର୍ଯ୍ୟକାରୀ କରି ଏହି ଭାବଧାରାକୁ ଆରମ୍ଭରୁ ହିଁ ପ୍ରତିହତ କରିବା ଉଚିତ ହୋଇଥାଆନ୍ତା, କିନ୍ତୁ ତାହା ହୋଇ ନଥିଲା । ତେଣୁ ନଡ୍ଡାଙ୍କ ହସ୍ତକ୍ଷେପ ଦ୍ବିଗୁଣ ସ୍ବାଗତଯୋଗ୍ୟ ଏବଂ ବିଜେପି କର୍ମୀ ଓ ସାମାଜିକ ଗଣମାଧ୍ୟମରେ ଅଧିକ ବିଶ୍ବସ୍ତ ଭାବରେ କ୍ରିୟାଶୀଳ ଏହାର କର୍ମୀମାନେ କୋଭିଡ ଭାଇରସ ଏବଂ ଧାର୍ମିକ ଭାବନା ସଂପର୍କିତ ଉତ୍ତେଜକ ମନ୍ତବ୍ୟରୁ ଦୂରେଇ ରହିବା ଦିଗରେ ଜାରି ପରାମର୍ଶକୁ ଗୁରୁତ୍ବର ସହ ଗ୍ରହଣ କରିବେ ବୋଲି ଆଶା କରାଯାଏ ।
ସୁତରାଂ, ଏଠାରେ ଉଲ୍ଲେଖନୀୟ ଯେ, ସାରା ଦେଶ ଏବଂ ଏହାର ଶହେ କୋଟିରୁ ଅଧିକ ନାଗରିକ କୋଭିଡ୍ ସଂକଟ ସହ ସଂଗ୍ରାମ କରୁଥିବା ବେଳେ ସମାଜରେ ବିଭାଜନ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା କେତେକ ଗଣମାଧ୍ୟମ ସଂସ୍ଥା ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ବିରୋଧରେ କେତେକ ରାଜ୍ୟ ସରକାର ଜାରି କରିଥିବା ଦୃଢ଼ ନିୟମାବଳୀ ସନ୍ତୋଷଜନକ ମନେହୁଏ ।
ଏହି ପ୍ରସଙ୍ଗରେ, ନକଲି ଭିଡିଓ ପ୍ରସାରଣ ସଂପର୍କିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ‘କଠୋର ଚେତାବନୀ’କୁ ପ୍ରଶଂସା କରିବା କଥା । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକରେ (ଏପ୍ରିଲ 4 ତାରିଖ) ଜାରି ଏକ ବାର୍ତ୍ତାରେ ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାଇ ଦେଇଥିଲେ ।
ତବଲିଗୀ ଜମାତରେ ଅଂଶ ଗ୍ରହଣ କରି ମହାରାଷ୍ଟ୍ରକୁ ଫେରିଥିବା 100 ପ୍ରତିଶତ ବ୍ୟକ୍ତିଙ୍କୁ ଠାବ କରାଯାଇ ପୃଥକ ଭାବେ ରଖାଯାଇଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ: ‘କୋରୋନା ଭାଇରସ ଭଳି, ସାମାଜିକ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଆଉ ଏକ ଭୂତାଣୁ ବାହାରକୁ ଆସିବାରେ ଲାଗିଛି ଏବଂ ତାହା ହେଉଛି, ନକଲି ଖବର ଏବଂ ସାଂପ୍ରଦାୟିକ ବିଦ୍ବେଷ ଭାବର ଭୂତାଣୁ । ଏହି ସଂକଟରୁ ଆମେ ମହାରାଷ୍ଟ୍ରକୁ ରକ୍ଷା କରିବୁ । କିନ୍ତୁ, ଯଦି କେହି କେତେକ ସାମଗ୍ରୀରେ ବା ନୋଟରେ ଲାଳ ଲଗାଯାଉଥିବା ଦୃଶ୍ୟ କିମ୍ବା ଉତ୍ତେଜକ ବିଷୟବସ୍ତୁ ସମ୍ବଳିତ ଭିଡିଓ କିମ୍ବା ମିଥ୍ୟା ଖବର ପ୍ରସାରଣ କରନ୍ତି, ତେବେ ମୋର ଆଇନ ସେମାନଙ୍କୁ ଧରି ଦଣ୍ଡ ଦେବ । ସେମାନଙ୍କୁ ଛାଡ଼ି ଦିଆଯିବ ନାହିଁ । ଏମିତି କି ମଜାରେ ବି ଏହା କରନ୍ତୁ ନାହିଁ ।’
ଏହା ସାଧୁବାଣୀ ସଦୃଶ ପରାମର୍ଶ ଏବଂ ଅନ୍ୟାନ୍ୟ ରାଜ୍ୟ ବି ଏହା କରିବେ ବୋଲି ଆଶା କରାଯାଏ । 21 ଦିନର ଜାତୀୟ ଲକଡାଉନ ଅବଧି ଶେଷ ହେବା ପରେ ଏପ୍ରିଲ ମଧ୍ୟ ଭାଗରେ ସ୍ଥିତିର ସମୀକ୍ଷା କରାଯିବ ଏବଂ ଧୀରେ ଧୀରେ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମର ସ୍ବାଭାବିକ ଧାରାକୁ ପ୍ରତ୍ୟାବର୍ତ୍ତନ ଲାଗି ଭାରତକୁ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ କୋଭିଡ ଭାଇରସ ପରିପ୍ରେକ୍ଷୀରେ ଭାରତର ବିଶାଳ ଜନସଂଖ୍ୟାକୁ ବିଭାଜିତ କରିବା ଦିଗରେ ଯେ କୌଣସି କାର୍ଯ୍ୟକଳାପକୁ ନିଶ୍ଚିତ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ ।
ସି.ଉଦୟ ଭାସ୍କର, ନିର୍ଦ୍ଦେଶକ, ସୋସାଇଟି ଫର ପଲିସି ଷ୍ଟଡିଜ, ନୂଆଦିଲ୍ଲୀ