ବେଙ୍ଗାଲୁରୁ: କୋରୋନା ମହାମାରୀ କାୟାରେ ବର୍ତ୍ତମାନ ସମଗ୍ର ଦେଶ । ଏହି ମାରାତ୍ମକ ଭାଇରସ ସମସ୍ତ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛି । ଏଭଳି କଠିନ ସମୟରେ ବହୁ ଲୋକ ନିଜର ବେଉସା ମଧ୍ୟ ହରାଇଛନ୍ତି । କର୍ଣ୍ଣାଟକରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚାକିରୀ ହରାଇବା ଡରରେ ଏକ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, କୋରୋନା ମହାମାରୀରେ ବହୁ କ୍ଷେତ୍ରରେ କର୍ମଚାରୀଙ୍କ ଛଟେଇ ହେଉଥିବା ଖବର ସାମ୍ନାକୁ ଆସୁଛି । କର୍ଣ୍ଣାଟକର ଧରୱାଦ ଜିଲ୍ଲାର ଏକ ଦମ୍ପତ୍ତି ଏବଂ ତାଙ୍କ ଝିଅ ଚାକିରୀ ହରାଇବା ଡରରେ ଆତ୍ମହତ୍ୟା କରିଥିବା ଧରୱାଦ ପୋଲିସ ଷ୍ଟେସନ ଇନସ୍ପେକ୍ଟର ସୂଚନା ଦେଇଛନ୍ତି । ପୋଲିସର ସୂଚନା ଅନୁଯାୟୀ, ମୃତଦେହ ନିକଟରେ ଏକ ଆତ୍ମହତ୍ୟା ନୋଟ ଜବତ କରାଯାଇଛି । ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କୋରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ କାରଣରୁ ଦେଶ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଛି । ବହୁ କ୍ଷେତ୍ରରୁ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ କିଛି କ୍ଷେତ୍ରରେ ବେତନର କିଛି ପ୍ରତିଶତ କାଟ କରି କର୍ମଚାରୀଙ୍କୁ ପ୍ରଦାନ କରାଯାଉଛି । ଯେଉଁ କାରଣରୁ ଏଭଳି ସ୍ଥିତିକୁ ସହ୍ୟ ନକରିପାରି କିଛି ଲୋକ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛନ୍ତି । ଏଣୁ ଏହି ସମସ୍ୟା ଉପରେ ସରକାର ଦୃଷ୍ଟିଆରୋପ କରିବା ଆବଶ୍ୟକ ରହିଛି ।