କୋଲକାତା: ସ୍ୱଳ୍ପ ମୂଲ୍ୟର ରୋବୋଟିକ୍ ଉପକରଣ ଡିଜାଇନ କଲେ ସିଏସଆଇଆର । ଦୁର୍ଗାପୁରର ସିଏସଆଇଆରର ସେଣ୍ଟ୍ରାଲ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍( CMERI) ଏକ ସ୍ୱଳ୍ପ ମୂଲ୍ୟର ରୋବୋଟିକ୍ ଉପକରଣ ଡିଜାଇନ କରିଛନ୍ତି । ଯାହା କୋରୋନା ଭାଇରସର ଲକ୍ଷଣ ଥିବା ଲୋକଙ୍କ ରକ୍ତ ନମୂନା ନେବା ପାଇଁ ବ୍ୟବହୃତ ହେବ ।
କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆର) ଅଧୀନରେ କାର୍ଯ୍ୟ କରୁଥିବା ସିଏମଆରଇର ନିର୍ଦ୍ଦେଶକ ପ୍ରଫେସର ହରିଶ ହିରାନି କହିଛନ୍ତି ଯେ, କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ 'ହସ୍ପିଟାଲ କେୟାର ସାହାଯ୍ୟକାରୀ ରୋବୋଟିକ ଉପକରଣ' ବହୁତ ସହାୟକ ହେବ।
ଏଥିସହ ସେ କହିଛନ୍ତି, ଏହି ରୋବଟ୍ ସେବା ଯୋଗାଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ସଂକ୍ରମଣର ସମ୍ଭାବନାକୁ ହ୍ରାସ କରିବାରେ ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରିବ। ଏହାଛଡା ସେ କହିଛନ୍ତି, ଏହି ରୋବର୍ଟ ମୂଲ୍ୟ ପାଞ୍ଚ ଲକ୍ଷରୁ କମ ଏବଂ ଏହାର ଓଜନ 80 କିଲୋଗ୍ରାମରୁ ଅଧିକ ନୁହେଁ । ସେଥିପାଇଁ ଏହା ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବହାର କରିବା ସହଜ ଏବଂ ସୁଲଭ ହେବ ।
ଏହି ଡିଭାଇସରେ ଭିଡିଓ କଲ୍ ସୁବିଧା ଅଛି ଏବଂ ରୋଗୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଇପାରିବ । ଅନୁଷ୍ଠାନର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ରୋବର୍ଟ ଅଧା କିଲୋମିଟର ଭିତରେ କାମ କରିପାରିବ ଏବଂ ଏହାର ବ୍ୟାଟେରୀ ଏକ ସମୟରେ ଚାରି ଘଣ୍ଟା ପର୍ଯ୍ୟନ୍ତ କାମ କରିବ । ଏଥିସହ ସେ କହିଛନ୍ତି, ଏହି ଉପକରଣର କ୍ଲିନିକାଲ୍ ପରୀକ୍ଷା ସଫଳ ହୋଇଛି । ଯଦି ଏହି ସ୍ୱାସ୍ଥ୍ୟ ସୁବିଧା ନେଇ କେନ୍ଦ୍ର ସରକାର ଆଗ୍ରହ ଦେଖାନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।