ନୂଆଦିଲ୍ଲୀ: କୋରୋନା ବିପତ୍ତି ବେଳେ ଭାରତ ଶରଣରେ ପାକିସ୍ତାନ । ବିଭିନ୍ନ ମଞ୍ଚରେ ଭାରତ ବିରୋଧରେ ବିଷ ବୁଣିବାକୁ ପଛାଉ ନଥିବା ପାକିସ୍ତାନ ଶେଷରେ କୋରୋନା ବିପତ୍ତି ବେଳେ ଭାରତର ସହଯୋଗ ଲୋଡ଼ିଛି । ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବା ପାଇଁ ନିବେଦନ କରିଛି ପାକିସ୍ତାନ । ଖାଲି ପାକିସ୍ତାନ ନୁହଁ ପାକିସ୍ତାନ ସହ ଭଲ କୂଟନୀତିକ ସମ୍ପର୍କ ରଖିଥିବା ତୁର୍କି ମଧ୍ୟ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବା ପାଇଁ ନିବେଦନ କରିଛି । ଏଠାରେ ସୂଚନା ଥାଉକି ଧାରା 370କୁ ନେଇ ଜାତିସଂଘରେ ପାକିସ୍ତାନ ସପକ୍ଷରେ ତୁର୍କି ଯାଇଥିଲା । ହେଲେ ଜାତିସଂଘରେ ପାକିସ୍ତାନର ଅଭିଯୋଗ ଖାରଜ ହୋଇଥିଲା ।
ଏହି ହାଇଡ୍ରୋକ୍ସକ୍ଲୋରୋକୁଇନ ମାଲେରିଆ ଔଷଧ । କୋରୋନାର ଚିକିତ୍ସା ପାଇଁ ଏଯାଏଁ କୌଣସି ଔଷଧ ବା ଟିକା ବାହାରିନି । ହେଲେ କିଛି ସ୍ଥାନରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧକୁ ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରି ଅନେକ ଡାକ୍ତର ସଫଳ ହୋଇଛନ୍ତି । ଭାରତରେ ଏହି ଔଷଧ ତିଆରି ହେଉଥିବାରୁ ଅନେକ ଦେଶ ଏବେ ଏହି ଔଷଧ ପାଇଁ ଭାରତକୁ ନିବେଦନ କରିଛନ୍ତି । ଆମେରିକା, ବ୍ରାଜିଲ, ୟୁଏଇ ଭଳି 13ଟି ଦେଶକୁ ଭାରତ ଏହି ଔଷଧ ପଠାଇଛି ।
ତେବେ ପାକିସ୍ତାନ, ତୁର୍କିକୁ ଭାରତ ଏହି ଔଷଧ ପଠାଇବ କି ନାହିଁ ଏନେଇ କୌଣସି ସୂଚନା ମିଳିନି । ପାକିସ୍ତାନରେ କୋରୋନା ଆାକ୍ରାନ୍ତଙ୍କ ସଂଖ୍ୟା 6 ହଜାର ପାଖାପାଖି ରହିଛି । ଏଯାବତ 200 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 1446 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।