ଭୋପାଳ: ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 250 ପାର ହୋଇଛି । କିଛିଦିନ ଧରି ନିୟନ୍ତ୍ରଣରେ ଥିବା ଏହି ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ନିଜାମୁଦ୍ଦିନ ମର୍କାଜରେ ଯୋଗ ଦେଇଥିବା ଲୋକ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିଛି ।
ସୋମବାର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 256ରେ ପହଞ୍ଚିଛି । 63ଟି ନୂଆ ପଜିଟିଭ ମାମଲା ସାମନାକୁ ଆସିଛି । ଏଥିରୁ ଭୋପାଳରେ ସର୍ବାଧିକ 43 ଜଣ ଆକ୍ରାନ୍ତ ଅଛନ୍ତି । ରାଜଧାନୀର ଅବସ୍ଥା ଅତ୍ୟଧିକ ଖରାପ ରହିଛି । ଏଠାକୁ ତବଲିଘିରୁ ଅଧିକ ଲୋକ ଫେରିଥିବା ଜଣାପଡିଛି ।
ଏହାସହ ଇନ୍ଦୋରରେ 16, ବେତୁଲ, ଭିଦିଶା ଓ ଉଜ୍ଜୟିନୀର ଜଣେ ଲେଖାଏଁ ପଜିଟିଭ ଥିବା ସୋମବାର ରିପୋର୍ଟରୁ ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ନିର୍ଦ୍ଦେଶ ଅନୁସାରେ ତବଲିଘିରୁ ଫେରିଥିବା ଲୋକଙ୍କୁ ଖୋଜାଚାଲିଛି । ଯିଏ ଧରାପଡୁଛି ତାକୁ ଜବରଦସ୍ତ କ୍ବାରେଣ୍ଟାଇନରେ ଭର୍ତ୍ତି କରାଯାଉଛି । ଲୁଚିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ କମିଶନର କହିଛନ୍ତି ।
ସୌଜନ୍ୟ@ANI