ଲକ୍ଷ୍ନୌ: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସମାଜବାଦୀ ପାର୍ଟି (ସପା) ନେତା ଆଜମ୍ ଖାନ୍ । ପୂର୍ବରୁ ରାମପୁରର ବିଜେପି ଲୋକସଭା ପ୍ରାର୍ଥୀ ଜୟାପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ଆଜମ୍ ମଙ୍ଗଳବାର ନିର୍ବାଚନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ରାମପୁରରୁ 3 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ନ ଜିତେ, ତେବେ ଧରିନେବାକୁ ହେବ ଯେ ଦେଶରେ ନିରପେକ୍ଷ ମତଦାନ ହୋଇନାହିଁ ।
ଇଭିଏମ୍ ଉପରେ ସମସ୍ତ ବିରୋଧୀ ଦଳ ପ୍ରଶ୍ନ ଉଠାଉଥିବାବେଳେ ଆଜମ୍ ଏପରି ବୟାନ ଦେଇଛନ୍ତି । ତେବେ ନିର୍ବାଚନ କମିଶନ (ଇସି) ଇଭିଏମ୍କୁ ନେଇ ଆସୁଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥିବାବେଳେ ବିରୋଧୀ ନେତାଙ୍କର ଏପରି କଥା ରାଜନୈତିକ ମାହୋଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ଚଳିତ ବର୍ଷ ନିର୍ବାଚନରେ ଆଜମ୍ଙ୍କ ଏଭଳି ଅନେକ ବିବାଦୀୟ ବୟାନ ପାଇଁ ପୂର୍ବରୁ ଦୁଇ ଥର ତାଙ୍କ ନିର୍ବାଚନୀ ପ୍ରଚାରକୁ ଇସି ବ୍ୟାନ୍ କରିଥିଲେ । ତେବେ ଆସନ୍ତାକାଲି (ଗୁରୁବାର) ନିର୍ବାଚନ ଫଳାଫଳ ପ୍ରକାଶ ହେବାକୁ ଥିବାବେଳେ ନେତାମାନଙ୍କର ଏଭଳି ବାୟାନବାଜି ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।