ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ତ ସମ୍ବିଧାନ ଭାରତର ସମ୍ବିଧାନ । ଗତକାଲି ଆମ ସମ୍ବିଧାନକୁ ପୂରୁଛି 70 ବର୍ଷ । ଏହି ସମ୍ବିଧାନ ଆମକୁ ସ୍ବାଧୀନତାର ସ୍ବାଦ ଚଖାଇଛି, ଦେଇଛି ମୌଳିକ ଅଧିକାରୀ । ହେଲେ ଆଜି ବି ନିଜ ଅଧିକାର, କର୍ତ୍ତବ୍ୟ, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଉପରେ ଅବଗତ ନାହାଁନ୍ତି ଦେଶବାସୀ । ଏହା ପହଞ୍ଚିବାକୁ ଆହୁରି ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡିବ ବୋଲି କହିଛନ୍ତି ସମ୍ବିଧାନ ବିଶେଷଜ୍ଞ ।
ଦେଶର ପ୍ରତିଟି ଲୋକଙ୍କ ନିକଟରେ ସମ୍ବିଧାନ ସମ୍ବନ୍ଧୀୟ ତଥ୍ୟ ପହଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଛି । କିନ୍ତୁ ଏଥିପ୍ରତି ଆହୁରି ଯଥେଷ୍ଟ ସଚେତନତାର ଆବଶ୍ୟକତା ରହିଛି ବୋଲି ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଆଲୋଚନା କରିଛନ୍ତି ସମ୍ବିଧାନ ବିଶେଷଜ୍ଞ ପରଂତାପ ଦାସ ।
ସମ୍ବିଧାନର ପ୍ରତିଟି ନିୟମ କାନୁନ ଉଚିତ ଭାବେ ପାଳନ କରିବାକୁ ସାମ୍ବିଧାନିକ ପ୍ରଣେତାଙ୍କ ସହ ଆମ୍ବେଦକାର ସତ୍ ପ୍ରଚେଷ୍ଟିତ ଥିଲେ । କିନ୍ତୁ ଆଜିର ରାଜନେତାଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିବା ସେ କହିଛନ୍ତି । ଗ୍ରାମାଞ୍ଚଳର ସାଧାରଣ ଲୋକେ କିମ୍ବା ଅଶିକ୍ଷିତ ଲୋକଙ୍କ ନିକଟରେ ସମ୍ବିଧାନର ନିୟମ ଓ କାନୁନ ପହଞ୍ଚି ପାରିନଥିବାକୁ ସେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ମନେ କରିଛନ୍ତି । ସେପଟେ ଅନୁସୂଚିତ ଜନଜାତିଙ୍କ ପାଇଁ ଦୃଶ୍ୟ ଓ ଚରିତ୍ରାତ୍ମକ ମାଧ୍ୟମରେ ପହଞ୍ଚାଇବାକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ କାର୍ଯ୍ୟ କରୁଥିବାର ମଧ୍ୟ କହିଥିଲେ । ଚଳିତ ବର୍ଷ ସରକାରଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ ସେ ଆଲୋଚନା କରିଥିଲେ ।
ଯେଉଁଥିରେ ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ପ୍ରଶଂସା କରିବା ସହ ଆରଟିଆଇକୁ ସିଜେଆଇଙ୍କ ପରିସରକୁ ଅଣାଯାଇଥିବାରୁ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଧନ୍ୟବାଦ ଜଣାଇଥିଲେ । ଦେଶର ନ୍ୟାୟାଧୀଶ କିପରି ଚୟନ ହୁଅନ୍ତି ତାହା ଜାଣିବା ପ୍ରତି ଭାରତୀୟଙ୍କ ଅଧିକାର ବୋଲି କହିଥିଲେ ପରଂତାପ ଦାସ ।