ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋରୋନା ସଂକ୍ରମଣର ବୃଦ୍ଧି ଘଟୁଥିବା ବେଳେ କୋଭିଡ -19ର ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ଦିଲ୍ଲୀ ପୋଲିସ ସତର୍କତା ବୃଦ୍ଧି କରିଛି। ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ସାଇକେଲରେ ବୁଲି ବୁଲି ଚାଲାଣ କାଟିଲେ ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ସିଦ୍ଧାର୍ଥ ଜୈନ । ନୂଆଦିଲ୍ଲୀର କନୌଟ ପ୍ଲେସରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀରେ କୋରୋନା ସଂକ୍ରମଣ ବଢୁଥିବାବେଳେ ଲୋକମାନେ ଖାମଖିଆଲି ହୋଇ ବିନା ମାସ୍କରେ ଏଣେତେଣେ ବୁଲିବା, ଏପରିକି ଦିଲ୍ଲୀର ଜନଗହଳିପୂର୍ଣ୍ଣ କନୌଟ ପ୍ଲେସରେ ଲୋକଙ୍କର ମନଇଚ୍ଛା ବୁଲାବୁଲିକୁ ନେଇ ଏବଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଗହଳି ରାସ୍ତାରେ ପୋଲିସ ଗାଡିରେ ନ ଯାଇ ଆସିଷ୍ଟାଣ୍ଟ କମିଶନର ସିଦ୍ଧାର୍ଥ ଜୈନ ତାଙ୍କ ଟିମ ସହିତ ସାଇକେଲ ପାଟ୍ରୋଲିଂ କରି ସାମାଜିକ ଦୂରତା ନୀତି ପାଳନ କରିବାକୁ ବୁଝାଇଥିଲେ । ସୂଚନା ଥାଉ କି, ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ପୋଲିସ କନୌଟ ପ୍ଲେସ ଅଞ୍ଚଳରେ 416 ଜଣଙ୍କ ଠାରୁ 2,08,000 ଟଙ୍କା ଚାଲାଣ କଟାଯାଇଛି । ଆଉ ଏହି ଚାଲାଣ ବିନା ମାସ୍କରେ ବୁଲିବା ଓ ସାମାଜିକ ଦୂରତାକୁ ଉଲ୍ଲଂଘନ ପାଇଁ କଟାଯାଇଛି ।
ଉଲ୍ଲେଖ ଥାଉ କି, ଦିଲ୍ଲୀରେ ଏ ପର୍ଯ୍ୟନ୍ତ ୨ ଲକ୍ଷ ୩୪ ହଜାର ୭୦୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୧,୭୨୧ଟି ସକ୍ରିୟ ମାମଲା ରହିଛି । ସେହିପରି ୪୮୭୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧,୯୮,୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି । ଏଥି ସହିତ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ମଧ୍ୟ 1670 କୁ ବୃଦ୍ଧି ପାଇଛି ।