ନୂଆଦିଲ୍ଲୀ: ସୋମବାର ଲୋକସଭାରେ ପାରିତ ହୋଇସାରିଛି ନାଗରିକ ସଂଶୋଧନ ବିଲ (ସିଏବି)। ଏହାକୁ ନେଇ ସାରା ଦେଶରେ ସଡକରୁ ସଂସଦ ପର୍ଯ୍ୟନ୍ତ ଜାରି ରହିଛି ପ୍ରତିବାଦ ବିକ୍ଷୋଭ। ବିଲ ବିରୋଧରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ଜନ ଅସନ୍ତୋଷ ଲାଗି ରହିଛି। ଏହାକୁ ସରକାର ଭ୍ରୃକ୍ଷେପ ନକରି ବୁଧବାର ରାଜ୍ୟସଭାରେ ବିଲକୁ ଆଗତ କରିବେ।
ସରକାରଙ୍କ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରି ବୁଧବାର ସାରା ଦେଶରେ ଧାରଣା ଦେବ କଂଗ୍ରେସ। ସମସ୍ତ ରାଜ୍ୟର ରାଜଧାନୀରେ କଂଗ୍ରେସ ପକ୍ଷରୁ ଏହି ଧାରଣା ଦେବାକୁ ଏଆଇସିସି ସମସ୍ତ ରାଜ୍ୟ ଶାଖାକୁ ନିର୍ଦ୍ଦେଶ ଦେଇଛି। ସିଏବି ବିଲ ପ୍ରତ୍ୟାହାର ଦାବିରେ ଏହି ଧାରଣା ଅନୁଷ୍ଠିତ ହେବ।