ପାଟନା: ବିହାର ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଆରମ୍ଭ କରିଦେଇଛନ୍ତି କସରତ । ଆସନ ମଧ୍ୟ ଭାଗବଣ୍ଟା ସରିଲାଣି । ବିଜେପି ଓ ଜେଡିୟୁ ଯୋଡି ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ ଚଳାଇଥିବାବେଳେ ଆରଜେଡି ଏନଡିଏକୁ ଟକ୍କର ଦେବାରେ ଲାଗିଛି । ସେପଟେ ଏଲଜେପି ଏନଡିଏରୁ ଅଲଗା ହୋଇ ଏକାକି ନିର୍ବାଚନ ଲଢିବାକୁ ଘୋଷଣା କରିଛି । ଏପରିସ୍ଥିତିରେ କଂଗ୍ରେସ କିନ୍ତୁ ରାଜ୍ୟରେ ହରାଇଛି ନିଜର ଅସ୍ତିତ୍ବ । ଦଳରେ ଟିକେଟ ବଣ୍ଟନକୁ ନେଇ ଆରମ୍ଭ ହୋଇଯାଇଛି ବିଦ୍ରୋହ ।
ବର୍ତ୍ତମାନ ସ୍ଥିତିରେ କଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ବିଦ୍ରୋହ ହେବା କିଛି ନୂଆ କଥା ନୁହେଁ । ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେଉଁମାନେ ବିଦ୍ରୋହ କରୁଛନ୍ତି, ସେମାନେ ଟିକେଟ ବଣ୍ଟନକୁ ନେଇ ଆଣିଛନ୍ତି ମହାଅଭିଯୋଗ । କଂଗ୍ରେସ ଟିକଟ ବାଣ୍ଟୁନି ବରଂ ଏହାକୁ ବିକ୍ରି କରୁଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି ।
କେବଳ ଏତିକି ନୁହେଁ, ଅଭିଯୋଗ ଅନୁଯାୟୀ କଂଗ୍ରେସରେ ଟିକେଟ ଦଲାଲି ହେଉଛି । ଅନ୍ୟପକ୍ଷେ ଦୁଷ୍କର୍ମକାରୀଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟାଯାଇଥିବା କୁହାଯାଉଛି । ହେଲେ ପୂର୍ବରୁ ହାଥରସ ଘଟଣା ପରେ ଦଳ ବିହାର ନିର୍ବାଚନରେ କୌଣସି ଦୁଷ୍କର୍ମକାରୀ ଅଭିଯୁକ୍ତ ନେତାଙ୍କୁ ଟିକେଟ ଦେବନାହିଁ ବୋଲି ଘୋଷଣା କରିଥିଲା । ଏପରିସ୍ଥିତିରେ କଂଗ୍ରେସକୁ ନେଇ ଏପରି ଅଭିଯୋଗ ଆସିବା ଏହାର ଅସଲି ଛବିକୁ ପଦାରେ ପକାଇଦେଇଛି ।