ନୂଆଦିଲ୍ଲୀ: ଆଗକୁ ହରିଆଣା ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ କଂଗ୍ରେସ ଓ ବହୁଜନ ସମାଜ ପାର୍ଟି(ବିଏସପି) ମିଳିତ ଭାବେ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ ହରିଆଣାର ପୂର୍ବତନ ମୂଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ଼ା ଓ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ନବନିଯୁକ୍ତ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷା କୁମାରୀ ଶୈଳଜା ରବିବାର ବିଳମ୍ବିତ ରାତିରେ ବିଏସପି ମୁଖ୍ୟ ମାୟାବତୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ଆଗକୁ ହେବାକୁ ଥିବା ସାମ୍ଭାବ୍ୟ ମେଣ୍ଟକୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ବିଜେପି ଅଧିକାଂଶ ରାଜ୍ୟରେ କ୍ଷମତାସୀନ ଥିବା ବେଳେ ଆଗକୁ ହରିଆଣାରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି । ଏହି ନିର୍ବାଚନରେ ବିଜେପିକୁ କଂଗ୍ରେସ ଏକାକୀ ମୁକାବିଲା କରିବାକୁ ଅସମର୍ଥ ଥିବା ମନେ କରି ବିଏସପି ସହ ମେଣ୍ଟ କରୁଥିବା ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି।