ନୂଆଦିଲ୍ଲୀ: ସନ୍ଥ ରବିଦାସଙ୍କ ମନ୍ଦିର ଦକ୍ଷିଣ ଦିଲ୍ଲୀର ତୁଗଲକବାଦରେ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏହି ମନ୍ଦିର ନିର୍ମାଣକୁ ନେଇ ଆପ ଏବଂ କଂଗ୍ରେସ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ଏକ ସାମ୍ବାଦିକସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପିର ମହାସଚିବ ଭୁପେନ୍ଦ୍ର ଯାଦବ ।
ସେ କହିଛନ୍ତି ଯେ, ଆପ ଏବଂ କଂଗ୍ରେସ ଏହି ପ୍ରସଙ୍ଗରେ ଅତ୍ୟାଧିକ ରାଜନୀତିକରଣ କରୁଛନ୍ତି । ଏହା ଦ୍ବାରା ସାମାଜିକ ମିଥ୍ୟା ପ୍ରଚାରକୁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ତୁଗଲକବାଦରେ ସନ୍ଥ ରବିଦାସଙ୍କ ମନ୍ଦିର ପୁନଃନିର୍ମାଣ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଭକ୍ତି ଓ ପରମ୍ପରାର ବାହକ ସନ୍ଥ ରବିଦାସ ସମାଜରେ ଭାଇଚାରାର ପ୍ରତିଷ୍ଠା କରିବା ସହିତ ଛୁଆଁଅଛୁଆଁ, ଉଚ୍ଚ ନୀଚ ଭେଦଭାବ ଦୂର କରିବା ସହିତ ସମାଜର କଲ୍ୟାଣ ପାଇଁ ଚିନ୍ତା କରୁଥିଲେ । ଏହାର ବ୍ୟାପକ ପ୍ରଭାବ ସମଗ୍ର ଭାରତ ଉପରେ ପଡ଼ିଛି ବୋଲି ସେ ସୂଚନା ଦେଇଥିଲେ । ସନ୍ଥଙ୍କ ଉଦ୍ଦେଶ୍ୟକୁ ବିଜେପି ଆହୁରି ବ୍ୟାପକ କରିବାକୁ ପ୍ରୟାସ କରିଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବନାରସରେ ଥିବା ରବିଦାସଙ୍କ ମନ୍ଦିରକୁ ଯାଇଥିବା ସେ ସୂଚନା ଦେଇଥିଲେ ।
ଏହାସହ ଭୁପେନ୍ଦ୍ର କହିଥିଲେ ଯେ ଅଦାଲତର ନିଷ୍ପତ୍ତି ପରେ ମନ୍ଦିର ନିର୍ମାଣ କରିବାକୁ ବିଜେପି ପ୍ରୟାସ ଆରମ୍ଭ କରିଦେଇଛି । ତେବେ ଏହି ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ମଧ୍ୟ ଜମି ପ୍ରଦାନ କରିଛନ୍ତି । ଏବେ ଏହି ମନ୍ଦିର ନିର୍ମାଣ କରିବା ପାଇଁ ରାସ୍ତା ପରିସ୍କାର ହୋଇ ସାରିଛି । ଏହା ସବୁଠାରୁ ଅଧିକ ଖୁସିର କଥା । ମାତ୍ର ଏହାକୁ ନେଇ ଏହି ଦୁଇ ଦଳ ରାଜନୀତି କରୁଛନ୍ତି ଯାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୁଷ୍ୟନ୍ତ କୁମାର ଗୌତମ, ପ୍ରବକ୍ତା ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।