ନୂଆଦିଲ୍ଲୀ: ପୂର୍ବ ଲଦାଖର ଗାଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ ସେନାର ମଧ୍ୟ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହି ସଂଘର୍ଷରେ ଚୀନର ପ୍ରାୟ 40ରୁ ଉର୍ଦ୍ଧ୍ବ ସୈନିକ ନିହତ ହୋଇଛନ୍ତି । ତେବେ ଏଥିରେ ଚୀନ ସେନାର କମାଣ୍ଡିଂ ଅଫିସର ମଧ୍ୟ ସାମିଲ ଥିବା ଜଣାପଡିଛି । ଅନ୍ୟପକ୍ଷରେ ଚୀନ ଏହି ଖବରକୁ ଏବେସୁଦ୍ଧା ସ୍ବୀକାର କରିନାହିଁ ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୀମାରେ ଘଟିଥିବା ସଂଘର୍ଷ ପରେ ବଡ ସଂଖ୍ୟାରେ ଆମ୍ବୁଲାନ୍ସ ଏବଂ ଷ୍ଟ୍ରେଚର ଜରିଆରେ ଆହତ ଏବଂ ମୃତ ଚୀନ ସୈନିକଙ୍କୁ ନିଆଯାଉଛି । ଏହା ବ୍ୟତୀତ ଗାଲୱାନ ନଦୀ ନିକଟରେ ଚୀନ ହେଲିକପ୍ଟରର ଗତିବିଧି ବୃଦ୍ଧି ପାଇଛି । ଯାହା ଏହି ଖବରକୁ ସ୍ପଷ୍ଟ କରୁଛି ଯେ, ଚୀନର ଅନେକ ସୈନ୍ୟ ଏହି ସଂଘର୍ଷରେ ନିହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ସେନାଙ୍କ ଧସ୍ତାଧସ୍ତି ଓ ମାଡପିଟରେ ଜଣେ ଭାରତର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ 2 ଯବାନ ଶହୀଦ ହୋଇଥିଲେ। ଏହାପରେ ସନ୍ଧ୍ୟା ସୁଦ୍ଧା ଆଉ 17 ଜଣ ଯବାନ ଶହୀଦ ହୋଇଥିବା ସେନା ସୂତ୍ରରୁ ନିଶ୍ଚିତ କରାଯାଇଥିଲା।