ଭୋପାଳ: ସାରାବିଶ୍ବକୁ ଏବେ କବଳିତ କରିଛି ମହାମାରୀ କୋରୋନା । ଏଭଳି ସ୍ଥିତିରେ ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କ ନିରନ୍ତର ଯତ୍ନ ନେବା ପାଇଁ ପ୍ରତ୍ୟେକ ଜିଲ୍ଲାରେ 'କମାଣ୍ଡ କଣ୍ଟ୍ରୋଲ୍ ରୁମ୍' କରାଯିବା ଉଚିତ୍ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବୁଧବାର କହିଛନ୍ତି ।
ରାଜ୍ୟରେ କୋରୋନା ସ୍ଥିତି ଏବଂ ପ୍ରଣାଳୀକୁ ସମୀକ୍ଷା କରି ଚୌହାନ କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାର ନିର୍ଦ୍ଦିଷ୍ଟ କୋଭିଡ -19 ଡାକ୍ତରଖାନା ମାଧ୍ୟମରେ କୋରୋନା ଚିକିତ୍ସା ପାଇଁ ରାଜ୍ୟ ସରକାର ଉତ୍କୃଷ୍ଟ ବ୍ୟବସ୍ଥା କରିଛନ୍ତି । ଏହା ସହିତ କୋଭିଡ -19 ର ଚିକିତ୍ସା ପାଇଁ କେତେକ ଘରୋଇ ଡାକ୍ତରଖାନାକୁ ମଧ୍ୟ ଚୁକ୍ତି କରାଯାଇଛି, ଯେଉଁଠାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଭଲ ଚିକିତ୍ସା ବ୍ୟବସ୍ଥା ହେତୁ ରାଜ୍ୟରେ 76.4 ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେ କହିଛନ୍ତି ।
ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ଆମର ଅର୍ଥନୀତିକୁ ଗତିଶୀଳ କରିବାକୁ ଏବଂ ଜୀବନକୁ ସଂପୂର୍ଣ୍ଣ ସ୍ୱାଭାବିକ ଏବଂ ସମୃଦ୍ଧ କରିବାକୁ ପଡିବ । ଯଦି କୋରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ସମସ୍ତ ସତର୍କତା ପାଳନ କରାଯାଏ, ତେବେ ଆମେ ସଂକ୍ରମଣକୁ ରୋକି ପାରିବା ଏବଂ ଜୀବନକୁ ସ୍ୱାଭାବିକ କରିପାରିବା ।