ମୁମ୍ବାଇ: ଗୁରୁବାର ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ନିଜର ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସର୍ବପ୍ରଥମେ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ବଡ଼ ଘୋଷଣା କରାଯାଇଛି। ରାଜ୍ୟର ରାୟଗଡ଼ ଜିଲ୍ଲାରେ ଥିବା ଶିବାଜୀ ଦୁର୍ଗର ପୁନଃରୁଦ୍ଧାର ପାଇଁ ୨୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ଠାକରେ ସରକାର ।
ଏହା ସହିତ ରାଜ୍ୟର ଫସଲ କ୍ଷତିଗ୍ରସ୍ତ ଓ ଋଣଗ୍ରସ୍ତ ଚାଷୀଙ୍କ ସ୍ଥିତି ସମୀକ୍ଷା କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଇଥିବା 6 ମନ୍ତ୍ରୀ, ଏନସିପି ନେତା ଅଜିତ ପାୱାର ଏବଂ ଆଦିତ୍ୟ ଠାକରେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରଥମ ବୈଠକରେ ରାଜ୍ୟର ଚାଷୀଙ୍କ ସମସ୍ୟାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଅଦିନିଆ ବର୍ଷା ଯୋଗୁଁ ବନ୍ୟା କାରଣରୁ ରାଜ୍ୟର ଚାଷୀଙ୍କ ଅବସ୍ଥା ଭଲ ନାହିଁ । ତାଙ୍କ ପାଇଁ ଛୋଟ ମୋଟ ଘୋଷଣାରେ କିଛି ଲାଭ ହେବ ନାହିଁ । କୃଷକଙ୍କ ସ୍ଥିତି ସମୀକ୍ଷା କରିବା ପରେ ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କ ଲାଗି କିଛି ବଡ ଘୋଷଣା ହେବ ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ।