ନୂଆଦିଲ୍ଲୀ: ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ନିର୍ବାଚିତ ହେବା ପରେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛି ଚୀନ । ତେବେ ଭାରତ-ଚୀନ ସୀମା ବବାଦକୁ ପାଶ୍ବରେ ରଖି ସେ ଭାରତ ସପକ୍ଷରେ ବୟାନ ଦେଇଛି । ଜଣେ ସ୍ଥାୟୀ ସଦସ୍ୟ ରୂପରେ ସେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ନବନିର୍ବାଚିତ ସଦସ୍ୟଙ୍କ ସହ ସହଯୋଗର ହାତ ବଢାଇବ ବୋଲି କହିଛି ଚୀନ ।
ତେବେ ଭାରତର ନାମ ନନେଇ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦର ଘୋଷଣା ପତ୍ର ଅନୁଯାୟୀ ଏହି ସଂସ୍ଥା ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ପ୍ରତିବଦ୍ଧ । ଜଣେ ସ୍ଥାୟୀ ସଦସ୍ୟ ହିସାବରେ ଚୀନ ଜାତିସଂଘ ସୁରକ୍ଷା ପରିଷଦର ନବ ନିର୍ବାଚିତ ଅସ୍ଥାୟୀ ସଦସ୍ୟ ସମେତ ସମସ୍ତ ପକ୍ଷଙ୍କ ସହ ସହଯୋଗର ହାତ ବଢାଇବ। ଏହା ଦ୍ବାରା ସୁରକ୍ଷା ପରିଷଦର ଘୋଷଣା ପତ୍ର ଅନୁଯାୟୀ ମିଳିଥିବା ଦାୟିତ୍ବର ନିର୍ବାହନ ହୋଇପାରିବ ।
ସୂଚନାଯୋଗ୍ୟ ଯେ, ଭାରତ ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ନିର୍ବାଚିତ ହୋଇଛି । ବର୍ତ୍ତମାନ ଭାରତ ୨୦୨୧-୨୨ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଛି । ଏହି ନିର୍ବାଚନରେ ୧୯୨ ଟି ମଧ୍ୟରୁ ଭାରତ ସମର୍ଥନରେ ୧୮୪ଟି ଭୋଟ୍ ପଡିଥିଲା ।