ନୂଆଦିଲ୍ଲୀ: ଶେଷରେ ନରମିଛି ଚୀନ। ଭାରତକୁ ବାରମ୍ବାର ନାଲିଆଖି ଦେଖାଉଥିବା ଚୀନ ଏବେ ଶାନ୍ତି କଥା କହୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଅଭିଭାଷଣକୁ ନେଇ ଚୀନ ପ୍ରତିକ୍ରିୟା ରଖିଛି। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଚୀନ ନିଜର ସ୍ବରକୁ ନରମ କରି ସମାଧାନ ବିଷୟରେ କହିବା ଆରମ୍ଭ କରିଛି। ଭାରତ ସହ ପାରସ୍ପରିକ ବିଶ୍ବାସ ଗଢିବା ଏବଂ ମତଭେଦକୁ ସଠିକ୍ ଭାବରେ ସମାଧାନ କରିବା ପାଇଁ ଚୀନ ପ୍ରସ୍ତୁତ ଥିବା ସୋମବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦ୍ବିପାକ୍ଷିକ ସମ୍ପର୍କର ରକ୍ଷା ପାଇଁ ଚୀନ ଭାରତ ସହ ମିଶି କାମ କରିବାକୁ ପ୍ରସ୍ତୁତ ଥିବା କହିଛି ।
ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦ୍ବିପାକ୍ଷିକ ସମ୍ପର୍କର ବୃଦ୍ଧି ଦୁଇ ଦେଶର ଲୋକଙ୍କୁ ଉପକୃତ କରିବ । ଏହି ଅଞ୍ଚଳ ତଥା ବିଶ୍ବର ଶାନ୍ତି ଏବଂ ସମୃଦ୍ଧି ପାଇଁ ସ୍ଥିରତା ଏବଂ ସକରାତ୍ମକ ଶକ୍ତି ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି ।
ଝାଓ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ଅନୁଧ୍ୟାନ କରିଛୁ। ଆମେ ଘନିଷ୍ଠ ପଡ଼ୋଶୀ, ଏକ ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏକ ଉଦୀୟମାନ ଦେଶ। ତେଣୁ ଦ୍ବିପାକ୍ଷିକ ସମ୍ପର୍କର ଅଗ୍ରଗତି କେବଳ ଉଭୟ ଦେଶର ଲୋକଙ୍କୁ ଲାଭ ପହଞ୍ଚାଇବ ନାହିଁ ବରଂ ଏହା ଉଭୟ ଦେଶ ତଥା ସମଗ୍ର ବିଶ୍ବର ସ୍ଥିରତା, ଶାନ୍ତି ଏବଂ ସମୃଦ୍ଧି ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।
ଝାଓ ଆହୁରି କହିଛନ୍ତି ଯେ, ଉଭୟ ପକ୍ଷ ପାଇଁ ସଠିକ ରାସ୍ତା ହେଉଛି ପରସ୍ପରକୁ ସମ୍ମାନ ଏବଂ ସମର୍ଥନ କରିବା । କାରଣ ଏହା ଆମର ଦୀର୍ଘକାଳୀନ ସ୍ବାର୍ଥକୁ ପୁରଣ କରିବ । ତେଣୁ ଚୀନ ରାଜନୈତିକ ବିଶ୍ବାସ ବୃଦ୍ଧି, ପାର୍ଥକ୍ୟକୁ ସଠିକ୍ ଭାବରେ ସମାଧାନ କରିବା ଏବଂ ଦୀର୍ଘ ସମୟ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ବ୍ୟବହାରିକ ସ୍ବାର୍ଥ ରକ୍ଷା ପାଇଁ ଭାରତ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ମୁଖପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 74ତମ ସ୍ବାଧୀନତା ଦିବସ ଅବସରେ ଲାଲ୍କିଲ୍ଲାରେ ଚୀନକୁ କଟାକ୍ଷ କହିଥିଲେ, ଏଲଏସି ଠାରୁ ଏଲଓସି ପର୍ଯ୍ୟନ୍ତ ଯେଉଁମାନେ ଭାରତର ସାର୍ବଭୌମତ୍ବକୁ ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସେନା ଉପଯୁକ୍ତ ଉତ୍ତର ଦେଇଛି। ପ୍ରଧାନମନ୍ତ୍ରୀ ଚୀନ ଏବଂ ପାକିସ୍ଥାନକୁ କଟାକ୍ଷ କରି ଏଭଳି କହିଥିଲେ ।