ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆର ଅନୁରୂପ ଦୃଷ୍ଟିଭଙ୍ଗୀ ଏବଂ ପାରସ୍ପରିକ ସାଧନ ସହାୟତା ବ୍ୟବସ୍ଥା ସଂପର୍କିତ ଚୁକ୍ତି ଯୋଗୁଁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦୁଇଟି ବ୍ୟାପକ ରଣନୀତି ଭିତ୍ତିକ ଅଂଶୀଦାର ରାଷ୍ଟ୍ରର ରଣକୌଶଳରେ ଗୁରୁତ୍ବ ପ୍ରତିପାଦିତ ହୋଇଛି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ମଧ୍ୟରେ ଆୟୋଜିତ ପ୍ରଥମ ଭର୍ଚୁଆଲ ସମ୍ମିଳନୀ ଅବସରରେ ଜାରି ଏହି ଦସ୍ତାବିଜରେ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧିର ବିକାଶ’ ଦିଗରେ ଅଙ୍ଗୀକାରବଦ୍ଧତାର ପୁନରାବୃତ୍ତି କରାଯାଇଛି ।
ଏହି ଭିଜନ୍ ଡକ୍ୟୁମେଣ୍ଟରେ କୁହାଯାଇଛି ଯେ, “ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଦୁଇଟି ପ୍ରମୁଖ ରାଷ୍ଟ୍ର ଭାବରେ ଭାରତ ଓ ଅଷ୍ଟ୍ରେଲିଆର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ମୁକ୍ତ, ଅବାଧ, ସମ୍ମିଳିତ ଏବଂ ନୀତି ଭିତ୍ତିକ ଦୀର୍ଘକାଳୀନ ସ୍ବାର୍ଥ ରହିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ଏବଂ ଏହି ଅଞ୍ଚଳର ଆକାଶ ମାର୍ଗରେ ବିମାନ ଚଳାଚଳରେ ସ୍ବାଧୀନତାକୁ ସୁନିଶ୍ଚିତ କରିବାରେ ଏବଂ ପରିବହନ ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ମୁକ୍ତ, ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ସାଗର ପଥର ପରିଚାଳନାରେ ଉଭୟଙ୍କର ସ୍ବାର୍ଥ ନିହିତ ।”
ଦକ୍ଷିଣ ଚୀନା ସାଗରରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସେନା ମୁତୟନ ବୃଦ୍ଧିକୁ ଆଖିରେ ରଖି ଉଭୟ ପକ୍ଷ ଏକ ସାଧନ ସହାୟତା ଚୁକ୍ତିରେ ଚୂଡ଼ାନ୍ତ ଉପନୀତ ହେବା ମହତ୍ତ୍ବପୂର୍ଣ୍ଣ ବିଷୟ । ଏହା ଫଳରେ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ଆହୁରି ନିବିଡ଼ ହେବ । ବିଗତ ଛଅ ବର୍ଷରେ ନୂଆଦିଲ୍ଲୀ ଓ କାନ୍ବେରା ପ୍ରମୁଖ ସାମୁଦ୍ରିକ ସେନାଭ୍ୟାସ ‘ଅସିଣ୍ଡେକ୍ସ’ ସମେତ ଏହି ଅଞ୍ଚଳରେ ପ୍ରତିରକ୍ଷା ଅଭ୍ୟାସ ସଂଖ୍ୟାରେ ଚାରିଗୁଣ ବୃଦ୍ଧି କରିଛନ୍ତି ।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ସାଧନ ସହଭାଗିତା ସଂପର୍କରେ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ଯେ, “ପ୍ରତିରକ୍ଷା କ୍ଷେତ୍ରରେ ଅଭ୍ୟାସ ମାଧ୍ୟମରେ ପାରସ୍ପରିକ ସାଧନ ସହାୟତା ବ୍ୟବସ୍ଥା ସଂପର୍କିତ ସାମରିକ ଅନ୍ତଃ ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଛନ୍ତି ।”
କାନ୍ବେରାରେ ଅବସ୍ଥାପିତ ପୂର୍ବତନ ଭାରତୀୟ ହାଇ କମିସନର ନବଦୀପ ସୁରୀ କହିଛନ୍ତି, “ଦୁଇ ଦେଶର ସଂପର୍କକୁ ବ୍ୟାପକ ସାଧନ ସହଭାଗିତା ସ୍ତରକୁ ଉନ୍ନୀତ କରାଇବା ଦ୍ବାରା ଉଭୟ ପକ୍ଷ ମଧ୍ୟରେ ଏକ ସ୍ବତନ୍ତ୍ର ସମ୍ବନ୍ଧ ସ୍ଥାପିତ ହେବ । ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ସହିତ ଚତୁର୍ପାକ୍ଷିକ ସୁରକ୍ଷା ଆଲୋଚନାକୁ ଶକ୍ତିଶାଳୀ କରାଇବାରେ ପାରସ୍ପରିକ ସାଧନ ସହାୟତା ବ୍ୟବସ୍ଥା ସହାୟକ ସାବ୍ୟସ୍ତ ହେବ । ଏହା ପରେ ଆମେ ଏହି ବ୍ୟବସ୍ଥାକୁ ପ୍ରତିଟି କ୍ବାଡ୍ ସଦସ୍ୟ ରାଷ୍ଟ୍ର (ଜାପାନ, ଆମେରିକା, ଅଷ୍ଟ୍ରେଲିଆ) ସହ ସଂପାଦିତ କରାଇବୁ । ଏହା ସହିତ ପ୍ରତି ଦୁଇ ବର୍ଷରେ ଆୟୋଜିତ ହେବାକୁ ଥିବା 2+2 ବାର୍ତ୍ତାଳାପକୁ ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରୀ ସ୍ତରକୁ ଉନ୍ନୀତ କରାଇବୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗକୁ ଅଧିକ ଅର୍ଥପୂର୍ଣ୍ଣ କରାଇବାକୁ ମଧ୍ୟ ଏହା ଉଦ୍ଦିଷ୍ଟ ।”
ଅଷ୍ଟ୍ରେଲିଆରେ ତାଙ୍କ କାର୍ଯ୍ୟକାଳରେ ହିଁ ସାମୁଦ୍ରିକ କ୍ଷେତ୍ରର ପରିସର ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଲାଗି 2016 ମସିହାରେ ଉଭୟ ପକ୍ଷ ପ୍ରଥମ ଥର ପାଇଁ ହ୍ବାଇଟ ସିପିଂ ଏଗ୍ରିମେଣ୍ଟରେ ସ୍ବାକ୍ଷର କରିଥିଲେ । ପାରସ୍ପରିକ ସାଧନ ସହଯୋଗ ବ୍ୟବସ୍ଥା ବଳରେ ଉଭୟ ପକ୍ଷ ପରସ୍ପରର ସାମରିକ ଘାଟିରେ ପ୍ରବେଶ ଅଧିକାର ପାଇବା ସହିତ ଜାହାଜର ଇନ୍ଧନ ଭରିବା ଏବଂ କର୍ମଚାରୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଣ ବ୍ୟବସ୍ଥା ରହିବ । ଏହି ବ୍ୟବସ୍ଥା ବଳରେ ଦ୍ବିପାକ୍ଷିକ ସମରାଭ୍ୟାସ ସମୟରେ ଭାରତୀୟ ନୌବାହିନୀ ଏବଂ ରୟାଲ ଅଷ୍ଟ୍ରେଲିଆନ ନେଭି ମଧ୍ୟରେ ଅଧିକ ଅନ୍ତଃପରିଚାଳନା କ୍ଷମତା ସହିତ ପାରସ୍ପରିକ ସହଯୋଗ ଆହୁରି ବୃଦ୍ଧି ପାଇବ ।
ଅଷ୍ଟ୍ରେଲିଆନ୍ ନ୍ୟାସନାଲ ୟୁନିଭର୍ସିଟିର ପ୍ରଫେସର ଏବଂ ନ୍ୟାସନାଲ ସିକ୍ୟୁରିଟି କଲେଜ୍ର ମୁଖ୍ୟ ତଥା ‘କଣ୍ଟେଷ୍ଟ ଫର୍ ଦି ଇଣ୍ଡୋ-ପାସିଫିକ୍’ ପୁସ୍ତକର ରଚୟିତା ରୋରି ମେଡକାଫ୍ କହିଛନ୍ତି, “ଭାରତ ମହାସାଗରରେ ଅଷ୍ଟ୍ରେଲିଆ ଏବଂ ଭାରତ ଦୁଇ ପଡ଼ୋଶୀ ଏବଂ ଏହି ବୁଝାମଣା ଆମ ନୌସେନା ଓ ତଟରକ୍ଷୀ ବାହିନୀର କାର୍ଯ୍ୟଦକ୍ଷତାକୁ ଅଧିକ ଶକ୍ତିଶାଳୀ କରିବ ଏବଂ ଉଭୟଙ୍କ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ସମେତ ଏକତ୍ର ପ୍ରଶିକ୍ଷଣ ନେବା ଏବଂ ଅଭିଯାନ ଚଳାଇବାରେ ସହାୟକ ହେବ । ଏହା ଫଳରେ ଭାରତ ମହାସାଗରରେ ନଜର ରଖିବା ସଂପର୍କରେ ଏକ ବିସ୍ତୃତ ରୂପରେଖ ସହିତ ବେଆଇନ ମାଛଧରା ଠାରୁ ଆରମ୍ଭ କରି ନୌସେନାରଗମନାଗମନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଉଭୟ ପକ୍ଷ ପାଇପାରିବେ ।”
ଏହି ସମ୍ମିଳନୀର ଫଳାଫଳକୁ ସ୍ବାଗତ କରିବା ସହିତ ଭାରତୀୟ ନୌସେନାର ଅବସରପ୍ରାପ୍ତ ମୁଖପାତ୍ର କ୍ୟାପଟେନ ଡିକେ ଶର୍ମା କହିଛନ୍ତି ଯେ, ସମୁଦ୍ର ପଥରେ ଜାହାଜ ଚଳାଚଳରେ ସ୍ବାଧୀନତା, ବିଶ୍ବସ୍ତରରେ ଆକାଶ ପଥରେ ବିମାନ ଚଳାଚଳ ସଂପର୍କିତ ସାଧାରଣ ଅଧିକାର ସହିତ ସାର୍ବଭୌମତ୍ବ ଏବଂ ଅନ୍ତର୍ଜାତୀୟ ଆଇନକୁ, ବିଶେଷତଃ ସାମୁଦ୍ରିକ ଆଇନ ଉପରେ ମିଳିତ ଜାତିସଂଘର ସମ୍ମିଳନୀ (UNCLOS)କୁ ସମ୍ମାନ ଦେଉଥିବା ସମଭାବାପନ୍ନ ନୌସେନା ସମୂହ ଏକତ୍ର ହେବା ଉଚିତ । ଗୁରୁବାର ଦିନ ନିଆଯାଇଥିବା ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମାଲାବର ସମରାଭ୍ୟାସରେ ଭାରତ, ଜାପାନ ଓ ଆମେରିକାର ନୌସେନା ସହିତ ଅଷ୍ଟ୍ରେଲିଆକୁ ଆଗାମୀ ଛଅ ମାସ ମଧ୍ୟରେ ସାମିଲ କରାଇବା ଦିଗରେ ବାଟ କଢ଼ାଇବ ବୋଲି କ୍ୟାପ୍ଟେନ୍ ଶର୍ମା ଆଶା କରିଛନ୍ତି ।
କ୍ୟାପ୍ଟେନ ଶର୍ମା କହିଛନ୍ତି ଯେ, “ଏହା ଏକ ପ୍ରତୀକ୍ଷିତ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କେନ୍ଦ୍ରରେ ଅଷ୍ଟ୍ରେଲିଆର ଅବସ୍ଥିତି ଏବଂ ଯେଉଁ କ୍ଷେତ୍ରରୁ ଚୀନ ତରଫରୁ ଆକ୍ରମଣ ଆଶଙ୍କା ଉତ୍ପନ୍ନ ହେଉଛି, ସେ ଦୃଷ୍ଟିରୁ ଏହା ଗୁରୁତ୍ବପୂର୍ଣ୍ଣ । ଏହି ସାମୁଦ୍ରିକ ଅଞ୍ଚଳରେ କାର୍ଯ୍ୟରତ ଭାରତୀୟ ନୌସେନା ପାଇଁ ଅଷ୍ଟ୍ରେଲିଆ ସହିତ ଏଭଳି ଏକ ଚୁକ୍ତି କରିବା ଖୁବ୍ ଅର୍ଥପୂର୍ଣ୍ଣ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଉତ୍ତର ପୂର୍ବରେ ଜାପାନ ସହିତ, ଦକ୍ଷିଣ ପୂର୍ବରେ ଅଷ୍ଟ୍ରେଲିଆ ସହିତ ଏବଂ ସୁଦୂର ପୂର୍ବରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ସହଯୋଗ ରହିଆସିଛି । ଚୀନ ଯେତେବେଳେ ଭାରତ ମହାସାଗରୀୟ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରି ତଟବର୍ତ୍ତୀ ଅଞ୍ଚଳରେ ଛୋଟ ଛୋଟ ସାମରିକ ପଦକ୍ଷେପ ନେବାରେ ଲାଗିଛି, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗ ଏକ ତର୍କସମ୍ମତ ପରବର୍ତ୍ତୀ ପନ୍ଥାର ରୂପ ନେଇଛି ।
ଅବସରପ୍ରାପ୍ତ ନୌସେନା ଅଧିକାରୀ ଆହୁରି କହିଛନ୍ତି ଯେ, “ବାର୍ଷିକ ଦ୍ବିପାକ୍ଷିକ ମାଲାବାର ସମରାଭ୍ୟାସରେ ଯୋଗ ଦେବା ଏବଂ ଏହାକୁ କ୍ବାଡ୍ ବାର୍ତ୍ତାଳାପ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ କରିବା କଥା ଏଥିରେ ନାହିଁ । ହେଲେ କୋଭିଡ ପରବର୍ତ୍ତୀ ସମୟର ସ୍ଥିତି ବିଚାରକୁ ନେଲେ ଏହାର ଯୌକ୍ତିକତା ସ୍ପଷ୍ଟ ବୁଝିହେଉଛି ।”
କ୍ବାଡ୍ ବା କ୍ବାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍ରେ ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଅଷ୍ଟ୍ରେଲିଆ ଏକ ଅଂଶୀଦାର ରାଷ୍ଟ୍ର ଏବଂ ଶେଷ ଥର ପାଇଁ ବିଦେଶ ମନ୍ତ୍ରୀ ସ୍ତରରେ ଏହାର ବୈଠକ ବସିଥିଲା । କିନ୍ତୁ ମାଲାବାର ସମରାଭ୍ୟାସରେ ଯୋଗ ଦେବା ପାଇଁ ଅଷ୍ଟ୍ରେଲିଆର ଇଚ୍ଛା ପ୍ରକାଶ ସତ୍ତ୍ବେ ଏହାକୁ କେତେ ବର୍ଷ ଧରି ସ୍ଥଗିତ ରଖାଯାଇଥିଲା। ଅତୀତରେ ବେଜିଂ ସହିତ କାନ୍ବେରାର ସମୀପବର୍ତ୍ତୀ ସଂପର୍କ ପରିପ୍ରେକ୍ଷୀରେ ଏପରି କରାଯାଇଥିଲା । କିନ୍ତୁ ଏହି ସ୍ଥିତି ଏବେ ବଦଳି ଯାଇଛି । କୋରୋନା ଭାଇରସର ଉତ୍ପତ୍ତିସ୍ଥଳ ସଂପର୍କରେ ତଦନ୍ତ ପାଇଁ ଚାପ ପକାଉଥିବାରୁ କ୍ରୋଧାନ୍ବିତ ଚୀନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସହ ବାଣିଜ୍ୟିକ ସଂପର୍କ ଉପରେ ଏହାର ପରିଣାମ ପରିଲକ୍ଷିତ ହେବ ବୋଲି ଧମକ ଦେଇଛି ।
ଏ ସଂପର୍କିତ ତାଙ୍କ ମନ୍ତବ୍ୟରେ ନବଦୀପ ସୁରି କହିଛନ୍ତି, “ଅତୀତରେ ଆମେ ଚୀନର ସମ୍ବେଦନଶୀଳ ଗୁଣ ସଂପର୍କରେ ଅଧିକ ସଚେତନ ରହୁଥିଲୁ । କିନ୍ତୁ ନିକଟ ଅତୀତରେ ଅଷ୍ଟ୍ରେଲିଆ ଚୀନର ଔଦ୍ଧତ୍ୟପୂର୍ଣ୍ଣ ଆଭିମୁଖ୍ୟର ଶିକାର ହୋଇଛି ଏବଂ ଭାରତ ସୀମାର ବାସ୍ତବ ନିୟନ୍ତ୍ରଣ ରେଖାରେ ଯାହା ଘଟୁଛି ତାହାକୁ ବି ଆମେ ଦେଖୁଛୁ । ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟରେ ହଂକଂ, ତାଇୱାନ, ଭିଏତନାମରେ ଚୀନ ଶକ୍ତି ପ୍ରଦର୍ଶନ କରୁଛି ଏବଂ ବିଡ଼ମ୍ବନାର ବିଷୟ ଯେ ଏଭଳି କରିବା ଦ୍ବାରା ନୂତନ ପ୍ରତିକ୍ରିୟା ଏବଂ ଉତ୍ସାହ ଉପୁଜିବା ସହିତ ଅନ୍ୟାନ୍ୟ ରାଷ୍ଟ୍ର ସମୂହ ମଧ୍ୟରେ ନୂତନ ସଂପର୍କ ଗଢ଼ିବାରେ ଚୀନ ସହାୟକ ହେଉଛି ।
କାନ୍ବେରାରୁ ଏ ସଂପର୍କରେ ତାଙ୍କ ମତାମତ ଜଣାଇ ରୋରି ମେଡକାଫ କହିଛନ୍ତି ଯେ, “ଅଷ୍ଟ୍ରେଲିଆ ଓ ଭାରତର ନୌସେନା, ତଟରକ୍ଷୀ ବାହିନୀ ଏବଂ ବାୟୁସେନା ପରସ୍ପରର ସାମରିକ ଘାଟି ପରିଦର୍ଶନରେ ଆସିବେ ଏବଂ ପରସ୍ପରକୁ ସାଧନ ଓ ତଥ୍ୟ ଯୋଗାଡ଼ରେ ସହାୟତା କରିବେ ବୋଲି ଆମେ ଆଶା କରୁଛୁ । ଏହା ଫଳରେ ଆମର ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମିଶି ସାଧାରଣ ସାମୁଦ୍ରିକ ପଥରେ ପ୍ୟାଟ୍ରୋଲିଂ କରିବେ ଏବଂ ଏ କ୍ଷେତ୍ରରେ ଚୀନ ସେନା ଅଧିକ ସକ୍ରିୟ ହୋଇଉଠିଥିବା ସମୟରେ ସେଠାରେ ସାମର୍ଥ୍ୟ ପ୍ରତିପାଦନରେ ଭାରସାମ୍ୟ ବଜାୟ ରଖିବେ ।”
ଆଜିର ଦିନରେ ଯୁକ୍ତରାଷ୍ଟ୍ର ଆମେରିକା, ମିଳିତ ଗଣରାଜ୍ୟ ଏବଂ ଫ୍ରାନ୍ସ ସମେତ ପ୍ରାୟ ତିନି ଡଜନ ଦେଶ ସହିତ ଏବଂ ଭାରତ ମହାସାଗର କ୍ଷେତ୍ରରେ କ୍ଷୁଦ୍ର ତଟବର୍ତ୍ତୀ ଦେଶ ସମୂହ ସହିତ, ସାଧନ ଏବଂ ତଥ୍ୟ ବିନିମୟ ପାଇଁ ଭାରତ ବୁଝାମଣା କରିସାରିଛି । ଯେଉଁ ସବୁ ପ୍ରମୁଖ ନୌସେନା ସହିତ ଏଭଳି ବୁଝାମଣା କାର୍ଯ୍ୟକାରୀ ହୋଇପାରିନାହିଁ ସେଥିରେ ଚୀନ ଓ ପାକିସ୍ତାନ ରହିଛନ୍ତି ।
ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସା ପାଏନଙ୍କ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, “ମୁଖ୍ୟତଃ ତଟରକ୍ଷୀ ବାହିନୀ ଏବଂ ବେସାମରିକ ସାମୁଦ୍ରିକ ସଂସ୍ଥା ସମୂହ ମଧ୍ୟରେ ସୁଦୃଢ଼ ଯୋଗସୂତ୍ର ସ୍ଥାପନ ଏବଂ ନୌସେନା-ନୌସେନା ମଧ୍ୟରେ ଅଧିକ ବାର୍ତ୍ତାଳାପର ସୁଯୋଗ ସୃଷ୍ଟି ଦ୍ବାରା ସାମୁଦ୍ରିକ ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଭାରତ-ଅଷ୍ଟ୍ରେଲିଆ ସହଯୋଗର ସଂପ୍ରସାରିତ ଦିଗର ପ୍ରାଧାନ୍ୟ ଦୃଷ୍ଟିଗୋଚର ହେବ ।”
ସ୍ମିତା ଶର୍ମା, ନୂଆଦିଲ୍ଲୀ