ବେଜିଂ: ମାଳଭୂମି ଓ ପାର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ରଣନୀତି ଓ ଯୁଦ୍ଧକୌଶଳ ବିଶ୍ବରେ ସର୍ବଶ୍ରେଷ୍ଠ । ଏହି କ୍ଷେତ୍ରରେ ଯୁଦ୍ଧ ନେଇ ଭାରତୀୟ ସେନା ଅଭିଜ୍ଞତାସମ୍ପନ୍ନ । ଭାରତ ମଧ୍ୟରେ ସୀମା ବିବାଦ ଜୋର ଧରିଥିବା ବଳେ ଭାରତୀୟ ସେନାକୁ ଏପରି ପ୍ରଶଂସା କରିଛନ୍ତି ଚୀନ ବିଶେଷଜ୍ଞ ।
‘ମଡର୍ଣ୍ଣ ୱେପନାରୀ’ ପତ୍ରିକାର ବରିଷ୍ଠ ସମ୍ପାଦକ ହୁଆଙ୍ଗ ଗୁଜି ଚୀନର ପେପର ଡଟ୍ କମ୍ ସିଏନ୍ ଦ୍ବାରା ପ୍ରକାଶିତ ଏକ ଆର୍ଟିକିଲରେ ଲେଖିଛନ୍ତି ଯେ ବର୍ତ୍ତମାନ ମାଳଭୂମି ଓ ପାର୍ବତ୍ୟ ସୈନ୍ୟ ଦୃଷ୍ଟିରୁ ବିଶ୍ବର ସବୁଠାରୁ ବଡ ତଥା ଅଭିଜ୍ଞ ସେନା ଭାରତ ପାଖରେ ରହିଛି । ଆମେରିକା, ରୁଷ ନୁହେଁ କିମ୍ବା ଅନ୍ୟ କୌଣସି ୟୁରୋପୀୟ ଶକ୍ତି ନୁହେଁ ।
ସେ କହିଛନ୍ତି ଯେ 1970 ଦଶକରୁ ଭାରତୀୟ ସେନା ପାର୍ବତ୍ୟ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି ଓ 50 ହଜାରରୁ ଅଧିକ ସୈନିକଙ୍କୁ ନେଇ ଏକ ପାର୍ବତ୍ୟ ଯୁଦ୍ଧ ଦଳ ଗଠନ କରିବାକୁ ଯୋଜନା କରିଛି।
ଚୀନ ବିଶେଷଜ୍ଞ କହିଛନ୍ତି ଯେ ଭାରତୀୟ ସେନାର ପ୍ରାୟ ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପର୍ବତାରୋହଣ ଏକ ଅତ୍ୟାବଶ୍ୟକ ଦକ୍ଷତା । ଏହି କାର୍ଯ୍ୟ ପାଇଁ ଭାରତ ମଧ୍ୟ ବେସରକାରୀ କ୍ଷେତ୍ରରୁ ବହୁ ସଂଖ୍ୟକ ବୃତ୍ତିଗତ ପର୍ବତାରୋହୀ ନିଯୁକ୍ତ କରିଛି । ସିଆଚିନରେ ଭାରତୀୟ ସେନାର ଉପସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ଭାରତୀୟ ସେନା 5 ହଜାର ମିଟରରୁ ଅଧିକ ଉଚ୍ଚତାରେ ସିଆଚିନ ଗ୍ଲାସିଅର୍ ଅଞ୍ଚଳରେ ଶହ ଶହ ପୋଷ୍ଟ ସ୍ଥାପନ କରିଛନ୍ତି । ସର୍ବୋଚ୍ଚ ଆଉଟପୋଷ୍ଟ 6,749 ମିଟର ଉଚ୍ଚରେ ଅଛି ।
ସେ କହିଛନ୍ତି ଯେ ବାହାରୁ ଦେଶରୁ କିଣିବା ସହ ଘରୋଇ ବିକାଶରୁ ପ୍ରସ୍ତୁତ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ସହିତ ଭାରତୀୟ ସେନା ସଜ୍ଜିତ, ଯାହା ପାର୍ବତ୍ୟ ଓ ଉଚ୍ଚ ଉଚ୍ଚତା ଅଞ୍ଚଳରେ କାର୍ଯ୍ୟ ପାଇଁ ଉପଯୁକ୍ତ ଅଟେ।