ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓଙ୍କ ମନ୍ତବ୍ୟ ପରେ ଚୀନ ବୁଧବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ ଭାରତର ସାର୍ବଭୌମତ୍ବ ପ୍ରତି ଆହ୍ବାନ ସୃଷ୍ଟି କରୁଛି ବୋଲି ପୋମ୍ପିଓ କହିବା ସହ ଭାରତକୁ ସମର୍ଥନ କରିଥିଲେ । ସୀମା ପ୍ରସଙ୍ଗ ଚୀନ୍ ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି ଚୀନ ଦୂତାବାସ ଏକ ବିବୃତ୍ତିରେ କହିଛି ।
ମଙ୍ଗଳବାର ଭାରତ-ଆମେରିକା ମଧ୍ୟରେ 2 + 2 ଆଲୋଚନା ପରେ ପୋମ୍ପିଓ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ବିରୋଧରେ ୱାସିଂଟନ, ନୂଆଦିଲ୍ଲୀ ସପକ୍ଷରେ ଠିଆ ହେବ । ଉହାନ ଭାଇରସ ବିଷୟରେ ମଧ୍ୟ କହିଥିଲେ । ଚୀନର କମ୍ୟୁନିଷ୍ଟ ପାର୍ଟି, ଗଣତନ୍ତ୍ରର ବନ୍ଧୁ ନୁହେଁ ବୋଲି ସେ ବର୍ଣ୍ଣନା କରିଥିଲେ ।
ପୋମ୍ପିଓ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସପରଙ୍କ ମନ୍ତବ୍ୟକୁ ଚୀନ୍ ଦୂତାବାସ ଦୃଢ ବିରୋଧ କରିଛି । ଚୀନ୍ କହିଛି, ସେମାନେ ପୁରୁଣା ମିଥ୍ୟାକୁ ବାରମ୍ବାର କହୁଛନ୍ତି, ଚୀନ ବିରୋଧରେ ଆକ୍ରମଣ କରୁଛନ୍ତି, ଅଭିଯୋଗ କରୁଛନ୍ତି । ଆନ୍ତର୍ଜାତୀୟ ସମ୍ପର୍କର ନିୟମ ଏବଂ କୂଟନୈତିକ ମୌଳିକ ନୀତି ଉଲ୍ଲଂଘନ କରିଛନ୍ତି । ଅନ୍ୟପକ୍ଷେ ଭାରତ ବିଷୟରେ ଚୀନ ଦୂତାବାସ ସମାଲୋଚନା କରିପାରି ନାହିଁ, ଏହାର କାରଣ ଏସ. ଜୟଶଙ୍କର ଓ ରାଜନାଥ ସିଂ ଚୀନ ବିଷୟରେ କିଛି ବି କହିନଥିଲେ ।
ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଆମେ ଆମେରିକା ପକ୍ଷକୁ ଅନୁରୋଧ କରୁଛୁ ସତ୍ୟକୁ ସମ୍ମାନ ଦିଅନ୍ତୁ । ଶୀତଳ ଯୁଦ୍ଧ ମାନସିକତାକୁ ତ୍ୟାଗ କରନ୍ତୁ । ତଥାକଥିତ ‘ଚୀନ୍ ବିପଦ’ ବୋଲ କହିବା ବନ୍ଦ କରନ୍ତୁ ଏବଂ ଆଞ୍ଚଳିକ ଶାନ୍ତି, ସ୍ଥିରତାକୁ କ୍ଷୁର୍ଣ୍ଣ କରୁଥିବା ଭୁଲ କାର୍ଯ୍ୟକୁ ନିବୃତ ହୁଅନ୍ତୁ ।