ଲକ୍ଷ୍ନୌ: ଦେଶର ଅଧିକାଂଶ ସ୍ଥାନରେ ଏବେ ବର୍ଷା ବିତ୍ପାତ । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ବି ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ବାରାବଙ୍କିରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ। ବାରାବଙ୍କିର ଏକ ସ୍କୁଲରେ ପିଲାମାନେ ଛତା ଧରି ପାଠ ପଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ବାରାବଙ୍କିରେ ଥିବା ଏହି ସ୍କୁଲ ନିକଟରେ ଫେଲ ମାରିଛି ସରକାରୀ ଯୋଜନା ସାଙ୍ଗକୁ ସର୍ବ ଶିକ୍ଷା ଅଭିଯାନ । ମୂଷଳ ବର୍ଷାରେ ଧୋଇ ଯାଇଛି ସରକାରଙ୍କ ତମାମ ଯୋଜନା । ସରକାର ସ୍କୁଲ ଘର ଦେଇଥିଲେ ମଧ୍ୟ ବାରାବଙ୍କିର ଉକ୍ତ ସ୍କୁଲର ମରାମତି ଅଭାବରୁ ଶୋଚନୀୟ ଅବସ୍ଥା ହୋଇପଡ଼ିଛି । ସ୍କୁଲ ଛାତରୁ ପାଣି ଗଳୁଥିବା ବେଳେ ପିଲାମାନେ ଛତା ଧରି ପାଠ ପଢୁଛନ୍ତି । କେବଳ ପିଲାମାନେ ନୁହନ୍ତି, ସ୍କୁଲ ଶିକ୍ଷକ ମଧ୍ୟ ଛତା ଧରି ପାଠ ପଢାଉଥିବା ଦେଖିବାକୁ ମିଳିଛି ।
କେବଳ ଛାତ ନୁହେଁ, ସ୍କୁଲର କାନ୍ଥ ମଧ୍ୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି । କେଉଁ ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିବାର ସମ୍ଭାବନା ଢେର ଅଧିକ ରହିଛି । ଯୋଗୀ ସରକାର ସ୍କୁଲ ପିଲାମାନଙ୍କ ପାଇଁ ଜୋତା, ମୋଜା, ସ୍ବେଟର, ଖାତାବହି, ସ୍କୁଲ ୟୁନିଫର୍ମ ପ୍ରଭୃତିର ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ସ୍କୁଲର ପିଲାମାନଙ୍କୁ କିଛି ମିଳିନଥିବା ଅଭିଯୋଗ ହୋଇଛି । ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କର ଏହି ଫଟୋ ଶିକ୍ଷା ବ୍ୟବସ୍ଥା ଏବଂ ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ସ୍ପଷ୍ଟ ବୟାନ କରୁଛି ।
ଏନେଇ ସରକାରୀ ବାବୁଙ୍କୁ ପଚରା ଯିବାରୁ ଯାଞ୍ଚ କରାଯିବ କହି ଦାୟିତ୍ବ ସାରିଦେଇଛନ୍ତି । ଏଭଳି ଆଚରଣରୁ ପ୍ରଶାସନର ଅବହେଳା ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି । ତେବେ ସେ ଯାହା ହେଉନା କାହିଁକି, ଏହି କୋମଳମତି ଶିଶୁମାନେ ଭବିଷ୍ୟତ ପାଇଁ ସ୍ବପ୍ନତ ନିଶ୍ଚିତ ଦେଖୁଛନ୍ତି, ମାତ୍ର ତାହା ପୁରଣ କରିବାରେ ଏଭଳି ସରକାରୀ ଯୋଜନା ବାଟ ଓଗାଳୁଛି । ଯେଉଁଥିପାଇଁ ଅଧିକାଂଶ ସମୟରେ ପିଲାମାନେ ସ୍ବପ୍ନ ପୁରଣ କରିବା ଅପେକ୍ଷା ସ୍କୁଲ ଛାଡ଼ିବା ଶ୍ରେୟସ୍କର ମଣୁଛନ୍ତି ।