ରାୟପୁର: ଆଜିର ସମୟରେ ବେରୋଜଗାରୀ ସମସ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ଦେଶରେ କୋରୋନାକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏଥିଲାଗି ବେକାରୀ ସମସ୍ୟା ବଢିବାରେ ଲାଗିଛି । ଛତିଶଗଡରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଧମନ୍ତରୀ ଜିଲ୍ଲାର ହରଦେବ ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କର ସାକ୍ଷାତ ନପାଇବାରୁ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ସୂଚନା ଅନୁସାରେ ସୋମବାର ଅପରାହ୍ନରେ ହରଦେବ ନିଜର ଆର୍ଥିକ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ମୁତୟନ ସୁରକ୍ଷାକର୍ମୀ ଯୁବକଙ୍କୁ ସାକ୍ଷାତ କରିବାକୁ ମନା କରିଥିବାରୁ ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଏଭଳି ପରିସ୍ଥିତିରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ମିଶି ଯୁବକଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଯୁବକ ଜଣକ ଦ୍ବାଦଶ ଶ୍ରେଣୀ ପାସ କରି ଦୀର୍ଘ ବର୍ଷ ଧରି ଚାକିରି ଖୋଜୁଥିଲେ । ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସାହାଯ୍ୟ ମାଗିବା ପାଇଁ ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ