ଅମ୍ବିକାପୁର: ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି । ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁର ଅଧିକ ବ୍ୟବହାର ସରକାର ଲାଗି ଚିନ୍ତାଜନକ ହୋଇଛି । ତେବେ ପରିବେଶକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରିବାକୁ ଛତିଶଗଡର ଅମ୍ବିକାପୁର ପୌରାଞ୍ଚଳ ନିଆରା ଉପାୟ ବାହାର କରିଛି ।
ଏହି ନୂଆ ଉପାୟ ଅନୁସାରେ ଯିଏ ପ୍ଲାଷ୍ଟିକ ଆବର୍ଜନା ଦାନ କରିବେ ସେମାନଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ । ଏଥିପାଇଁ ପୌରାଞ୍ଚଳ ଗାର୍ବେଜ କାଫେ ଖୋଲିଛି । ଏଠାରେ ଅଳିଆ ଦାନ କରୁଥିବା ଲୋକଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଦିଆଯିବ । ବିଶେଷ କରି ଜରି ଗୋଟାଳି ଓ ବାସହୀନ ଲୋକେ 1 କିଲୋ ଆବର୍ଜନା ଦେଇ ମଧ୍ୟାହ୍ନ ଭୋଜନ କରିପାରିବେ । ସେହିପରି ଅଧ କିଲୋ ଆବର୍ଜନା ଦେଇ ସକାଳ ଜଳଖିଆ ଖାଇପାରିବେ ।
ଏନେଇ ମେୟର ଅଜୟ ତିର୍କୀ କହିଛନ୍ତି ଯେ ଯିଏ 1 କେଜି ପ୍ଲାଷ୍ଟିକ ଦେବ ସେମାନଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ । ଏହା ସହରକୁ ସ୍ବଚ୍ଛ ରଖିବାରେ ସହାୟକ ହେବ । ଏଥିଲାଗି ପ୍ରଶାସନ ୫ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏହି ଯୋଜନା ସ୍ବଚ୍ଛ ଭାରତ ଅଭିଯାନର ଅଂଶବିଶେଷ । ଏଥିରୁ ସଂଗୃହୀତ ପ୍ଲାଷ୍ଟିକ ଆବର୍ଜନା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ମେୟର କହିଛନ୍ତି ।