ହୋଷ୍ଟନ: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଟେକ୍ସାସ ରାଜ୍ୟର ହୋଷ୍ଟନ ସହରରେ ପହଞ୍ଚିଛନ୍ତି । ମୋଦି ହୋଷ୍ଟନର ଏନଆରଜି ଷ୍ଟାଡିୟମରେ 50 ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ହୋଷ୍ଟନରେ ରହଣି ସମୟରେ ମୋଦିଙ୍କ ପାଇଁ ଖାସ ଓ ସ୍ବାଦିଷ୍ଟ ଭୋଜନର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର 'ନମୋ ଥାଳି' ।
ଆମେରିକାରେ ଭାରତୀୟ ବଂଶୋଦ୍ଭବ ତଥା ସେଫ୍ କିରଣ ବର୍ମା ହୋଷ୍ଟନରେ ମୋଦିଙ୍କ ପାଇଁ ପ୍ରସୁତ କରିଛନ୍ତି ସକାଳ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ । ମୋଦିଙ୍କ ପାଇ ସମ୍ପୂର୍ଣ୍ଣ ଶାକାହାରୀ ଭୋଜନର ବ୍ୟବସ୍ଥା ହୋଇଛି । କିରଣ ଓଡିଶାରେ ଜନ୍ମ ହୋଇଥିବାବେଳେ ତାଙ୍କ ଦ୍ବାରା ପରିଚାଳିତ ହୋଷ୍ଟନ ଭାରତୀୟ ରେସ୍ତୋରାଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ନମୋ ଥାଳି ପ୍ରସ୍ତୁତ କରିଛି ।
ଏହି ସ୍ବତନ୍ତ୍ର ନମୋ ଥାଳିରେ ରହିଛି ଗାଜର ହାଲଓ୍ବା, ଶ୍ରୀଖଣ୍ଡ, ଗୁଲାବଜାମୁନ, ଖିରୀ । ସେହିପରି ମେଥି ଥେପଲା, ସିଙ୍ଗଡା ସହ ପୋଦିନା ଚଟଣି, କଚୋଡି, ଖଣ୍ଡଭି, ଖେଚେଡି ଓ ଡାଲି ନମୋ ଥାଳିରେ ସାମିଲ ଥିବା ଜଣାପଡିଛି ।
ଏହି ନମୋ ଥାଳି ପ୍ରଧାନମନ୍ତ୍ରୀଙ୍କୁ ଏନଆରଜି ଷ୍ଟାଡିୟମରେ ପରସା ଯିବ ବୋଲି ଜଣାପଡିଛି । ଏହି ଥାଳି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନମୋ ଥାଳି ପ୍ରସ୍ତୁତ କରି କିରଣ ଖୁସି ଜାହିର କରିବା ସହ ଏହା ସମ୍ମାନର ବିଷୟ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।