ରାୟପୁର: ସାରା ପୃଥିବୀରେ ମହାମାରୀ କୋରୋନା ଭାଇରସର ଆତଙ୍କ । କୋରୋନାକୁ ନେଇ ଭାରତ ସରକାର କଟକଣା ଜାରି କରିଛନ୍ତି ଏବଂ ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି । କୋରୋନା ଭାଇରସକୁ ନେଇ ଛତିଶଗଡ ସରକାର ସତର୍କତା ଗ୍ରହଣ କରିଛନ୍ତି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜଧାନୀ ରାୟପୁରରେ 144 ଜାରି କରିବା ସହ ରାଜ୍ୟର ପ୍ରମୁଖ ସହର ଗୁଡିକରେ ଲାଗୁ କରାଯାଇଛି ବୋଲି ଘୋଷଣା କରିଛନ୍ତି ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଦୂରେଇ ରହିବା ପାଇଁ କହିଛନ୍ତି । କୋରୋନାକୁ ନେଇ ଲୋକଙ୍କୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସ୍ବତନ୍ତ୍ର ଆଲାଉନ୍ସ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍କୁଲ, କଲେଜ, ସିନେମା ହଲ ଓ ପର୍ଯ୍ୟଟନ ସ୍ଥାନ ଗୁଡିକୁ ମଧ୍ୟ ବନ୍ଦ କରାଯାଇଛି । ଅନ୍ତରାଜ୍ୟ ବସ ଚଳାଚଳକୁ ମଧ୍ୟ ତୁରନ୍ତ ବନ୍ଦ କରିଦିଆଯାଇଛି ।
ଚୀନର ଉହାନ ପ୍ରଦେଶର ସୃଷ୍ଟି ହୋଇଥିବା କୋରୋନା ଭାଇରସର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସାରା ବିଶ୍ବରେ କୋରୋନା ଭାଇରସରେ 8000ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ଥିବାବେଳେ 8 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମହାମାରୀ କୋରୋନାର 169 ଆକ୍ରାନ୍ତ ହୋଇଥିଲା ବେଳେ 4 ଜଣ ମୃତ୍ୟୁବରଣ କରିଛନ୍ତି ।