ହାଇଦ୍ରାବାଦ: ତେଲେଙ୍ଗାନାର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଐତିହାସିକ ଚାରମିନାର ଏବଂ ଗୋଲକୋଣ୍ଡା ଦୁର୍ଗ ପୁଣିଥରେ ଖୋଲିବାକୁ ଯାଉଛି । କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଏହା ବନ୍ଦ ଥିଲା । ହେଲେ ଜୁଲାଇ 6ରୁ ପର୍ଯ୍ୟଟକଙ୍କ ପାଇଁ ଏହା ପୁଣିଥରେ ଖୋଲିବ ବୋଲି ସୂଚନା ମିଳିଛି ।
ପ୍ରତ୍ନତାତ୍ତ୍ୱିକ ବିଭାଗର ଜଣେ ଅଧିକାରୀ ଏନେଇ କହିଛନ୍ତି, ପ୍ରତିଦିନ 2,000 କିମ୍ବା ତାଠାରୁ କମ ସଂଖ୍ୟକ ପର୍ଯ୍ୟଟକଙ୍କୁ ଉଭୟ ପର୍ଯ୍ୟଟନ ସ୍ଥଳୀରେ ପ୍ରବେଶ ଅନୁମତି ଦିଆଯିବ । ତାଠାରୁ ଅଧିକ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ନାହିଁ। ପର୍ଯ୍ୟଟକଙ୍କ ପ୍ରବେଶ ଟିକେଟ୍ ଅନଲାଇନରେ ବିକ୍ରି ହେବ । ପର୍ଯ୍ୟଟକମାନେ ASI ୱେବସାଇଟରେ ଟିକେଟ ବୁକ୍ କରିପାରିବେ । ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଜାରି ସୁରକ୍ଷା ପ୍ରୋଟୋକଲ ଉପରେ କଡାକଡି ପାଳନ କରାଯିବ ।
ତେବେ ପର୍ଯ୍ୟଟକଙ୍କ ପାଇଁ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହା ବ୍ୟତୀତ ସେମାନଙ୍କୁ ସାମାଜିକ ଦୂରତା ମଧ୍ୟ ବଜାୟ ରଖିବାକୁ ପଡିବ ।
ଉଭୟ ପର୍ଯ୍ୟଟନ ସ୍ଥଳୀରେ ପ୍ରବେଶ ସମୟରେ ହାତ ସାନିଟାଇଜ କରିବା ସହ ଶରୀରର ତାପମାତ୍ରା ମାପିବା ବ୍ୟବସ୍ଥା କରାଯିବ । ଯେଉଁ ବ୍ୟକ୍ତିଙ୍କ ନିକଟରେ କୋରୋନା ଲକ୍ଷଣ ନଥିବ କେବଳ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ । ପରିସର ମଧ୍ୟରେ କୌଣସି ଗ୍ରୁପ ଫଟୋଗ୍ରାଫିର ଅନୁମତି ଦିଆଯିବ ନାହିଁ । ଏହା ବ୍ୟତୀତ ଖାଦ୍ୟ ସାମଗ୍ରୀର ଅନୁମତି ଦିଆଯିବ ନାହିଁ।
ସେହିପରି ପାର୍କିଂ ଏବଂ କ୍ୟାଫେଟଏରିଆରେ ଡିଜିଟାଲ୍ ପେମେଣ୍ଟର ଅନୁମତି ଦିଆଯାଇଛି । ମାର୍ଚ୍ଚ ଶେଷ ସପ୍ତାହରୁ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଚାରମିନାର ଏବଂ ଗୋଲକୋଣ୍ଡା ଦୁର୍ଗ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।