ହାଇଦ୍ରାବାଦ: ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀରେ ସାରା ଦେଶ ପାଳୁଛି ଶିଶୁ ଦିବସ । ଏହି ଅବସରରେ ଦେଶର ଶିଶୁମାନଙ୍କୁ ଦିନଟିର ମହତ୍ତ୍ବ ବୁଝାଇବାକୁ ପଛେଇ ଯାଇନି ଗୁଗୁଲ । ପ୍ରତିଥର ପରି ଏଥର ମଧ୍ୟ କିଛି ନିଆରା ସନ୍ଦେଶର ଡୁଡୁଲ ସହ ଚାଚା ନେହେରୁଙ୍କ ଜନ୍ମ ଦିନ ପାଳନ କରୁଛି ଗୁଗୁଲ ।
ଏଥର ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଗୁରୁଗ୍ରାମର ଜଣେ 7 ବର୍ଷୀୟ କୁନି ଝିଅର ଚିତ୍ରାଙ୍କନ । ଚଳିତବର୍ଷ ଶିଶୁ ଦିବସ ପାଇଁ ଗୁଗୁଲ ପକ୍ଷରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିଲା ଗୁରୁଗ୍ରାମର ଦିବ୍ୟାଂଶୀ ସିଙ୍ଘଲଙ୍କ ଚିତ୍ରାଙ୍କନ । ତେଣୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ଚିତ୍ରାଙ୍କନଟି ଶିଶୁ ଦିବସରେ ଡୁଡୁଲରେ ସ୍ଥାନ ପାଇଛି ।
କୁନି ଝିଅ ଦିବ୍ୟାଂଶୀ ଦ୍ବାରା ପ୍ରସ୍ତୁତ ଏହି ଚିତ୍ରାଙ୍କନଟିରେ ଗଛଗୁଡିକ ଜୋତା ପିନ୍ଧିଥିବା ଦେଖାଯାଇଛି । ଯାହାର ନାମ ରହିଛି ‘ୱାକିଙ୍ଗ ଟ୍ରି’ ବା ‘ଚାଲୁଥିବା ଗଛ’ । ଏହାର ଅର୍ଥ ହେଉଛି ଆଗାମୀ ଦିନରେ ଯଦି ଗଛମାନେ ଚାଲିବାର କ୍ଷମତା ପାଇବେ ତାହାଲେ ହୁଏତ ଗଛ କଟା ଅନେକ ମାତ୍ରାରେ ହ୍ରାସ ପାଇବ । ଦିବ୍ୟାଂଶୀ ନିଜ ଜେଜେମାଆଙ୍କ ପାଖକୁ ବୁଲି ଯାଇଥିବା ସମୟରେ ତାଙ୍କ ମନରେ ଏହି ଚିନ୍ତା ଆସିଥିଲା ବୋଲି ସେ କହିଛନ୍ତି ।
ଘର ପାଖରେ ଥିବା ଗଛଗୁଡିକୁ କଟା ଯାଇଥିବାରୁ ଏପରି କିଛି ଚିନ୍ତା ତାଙ୍କ ମନକୁ ଆସିଥିଲା । ସେ ଭାବିଥିଲେ କି ଯଦି ଗଛମାନେ ଚାଲିପାରନ୍ତେ କି ଉଡି ପାରନ୍ତେ, ତାହେଲେ ହୁଏତ ସେମାନଙ୍କୁ କାଟିବାକୁ ପଡନ୍ତାନି । ଏହାଦ୍ବାରା ଆବଶ୍ୟକ ପଡିଲେ ଗଛମାନଙ୍କ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ କୁହାଯିବା ସହ ଗଛକଟାକୁ ରୋକାଯାଇପାରିବ । ତେବେ ପ୍ରତିବର୍ଷ ଏହି ଦିନକୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ପାଳନ କରାଯାଏ । ଦେଶରେ ଶିଶୁ ସୁରକ୍ଷା, ଅଧିକାର ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ଦିବ୍ୟାଂଶୀଙ୍କ ଏହି ସୁନ୍ଦର ଚିତ୍ରାଙ୍କନ ନିହାତି ଏକ ନୂଆ ଦିଗଦର୍ଶନ ।