ଥିରୁବନନ୍ତପୁରମ:ବିଗତ କିଛି ଦିନ ଧରି କେରଳରେ କୋରୋନା ପଜିଟିଭି ନମୁନା ସଂଖ୍ୟା କମ ହୋଇଥିବାରୁ ଲକଡାଉନ କଟକଣାକୁ କିଛି ମାତ୍ର୍ରାରେ କୋହଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର କେତେକ ରେସ୍ତୋରାଁ ଖୋଲିବା, ସ୍ବଳ୍ପ ଦୂରତା ପାଇଁ ବସ୍ ଯାତ୍ରା ସମେତ କେରଳ ସରକାର କିଛି କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ତେବେ କେରଳ ସରକାରଙ୍କ କାର୍ଯ୍ୟକଳାପରେ କେନ୍ଦ୍ର ଖପ୍ପା ହୋଇଛି । କେନ୍ଦ୍ର ପିନାରାଇ ବିଜୟ ସରକାରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, କେନ୍ଦ୍ରର ବିନା ଅନୁମତିରେ ଲକଡାଉନ୍ କଟକଣା କୋହଳ କରିବା ଗୃହମନ୍ତ୍ରାଳୟର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି ।
କେନ୍ଦ୍ର ଗୃହ ନିର୍ଦ୍ଦେଶକ ଅଜୟ ଭାଲା କେରଳ ମୁଖ୍ୟ ଶାସନ ସଚିବ ଟମ୍ ଜୋସେଙ୍କୁ ଏକ ଚିଠି ଲେଖିଛନ୍ତି । ସୋମବାରଠାରୁ କେରଳର 14ଟି ଜିଲ୍ଲାକୁ ଚାରିଟି ଜୋନରେ ବିଭକ୍ତ କରାଯାଇଛି । ଗ୍ରୀନ୍, କମଳା -ଏ, କମଳା -ବି, ଏବଂ ରେଡ୍ । ତେବେ ଜୋସେ ରବିବାର ରାତିରେ କେରଳ ସରକାରଙ୍କୁ ତାଗିଦ କରି କହିଥିଲେ ଯେ ରାଜ୍ୟରେ ଏପର୍ଯ୍ୟନ୍ତ 88 ଟି ହଟସ୍ପଟ୍ ଅଛି । ତେଣୁ ଏହି କ୍ଷେତ୍ରରେ କଟକଣା କୋହଳ କରିବା କେନ୍ଦ୍ର ନିର୍ଦ୍ଦେଶାବଳୀକୁ ଉଲଙ୍ଘନ କରିବା ସହ ସମାନ ।
ତେବେ ମୁଖ୍ୟମନ୍ତ୍ରୀ ପିନାରାଇ ଭାଇଜାନ ସୋମବାର ଏକ ବୈଠକ କରି ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ଭାଲାଙ୍କ ଚିଠିର ଉତ୍ତର ଦିଆଯିବ ବୋଲି କହିଛନ୍ତି । କିନ୍ତୁ ସୁରକ୍ଷିତ ସ୍ଥାନରେ ଲକଡାଉନ କୋହଳ କରିବା ଦ୍ବାରା ନିର୍ଦ୍ଦେଶାବଳୀର କୌଣସି ଉଲ୍ଲଂଘନ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କାଦକମ୍ପାଲି ସୁରେନ୍ଦ୍ର । ସେ କହିଛନ୍ତି ଯେ, ବୋଧହୁଏ କିଛି ଭୁଲ ବୁଝାମଣା ପାଇଁ କେନ୍ଦ୍ର ଆମକୁ ଦାୟୀ କରୁଛି । କିନ୍ତୁ ରାଜ୍ୟ କେନ୍ଦ୍ରୀୟ ନିର୍ଦ୍ଦେଶାବଳୀକୁ ସଠିକ୍ ଭାବେ ପାଳନ କରୁଛି । ଏବଂ ଯଦି କିଛି ସମସ୍ୟା ଉତ୍ପନ ହୁଏ, ତେବେ ଏହାର ସମାଧାନ କରାଯିବ ।