ନୂଆଦିଲ୍ଲୀ: ସଶକ୍ତ ହେବ ସିଡିଏସ(ଚିଫ ଅଫ ଡିଫେନ୍ସ ଷ୍ଟାଫ)। ଦେଶର ପ୍ରଥମ ସିଡିଏସ ଭାବେ ଜେନେରାଲ ବିପିନ ରାୱତ ଅବସ୍ଥାପିତ ହୋଇଥିବା ବେଳେ ଏଥିରେ 2 ଯୁଗ୍ମ ସଚିବ, 13 ଡେପୁଟି ସେକ୍ରେଟାରୀ ଓ 22 ସହାୟକ ସେକ୍ରେଟାରୀଙ୍କୁ ନିଯୁକ୍ତି ମିଳିଛି।
ଏହି ବିଭାଗ ସ୍ବଦେଶୀ ଉପକରଣ ଉପରେ ଅଧିକ ଗୁରୁତ୍ବ ଦେବ। ଏହାସହ ପ୍ରତିରକ୍ଷା ବିଭାଗ, ପ୍ରତିରକ୍ଷା ଗବେଷଣା, ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଗତି, ପୂର୍ବତନ ସେନା ଅଧିକାରୀଙ୍କ ଜନମଙ୍ଗଳ ବିଭାଗ ଉପରେ କାର୍ଯ୍ୟ କରିବ।
ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଜାନୁଆରୀ ପହିଲାରେ ପ୍ରଥମ ସଡିଏସ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। 2023 ମାର୍ଚ୍ଚ 31 ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ। ସିଡିଏସ ଭାବେ ନିଯୁକ୍ତ ହେବା ପରେ ସେ କହିଥିଲେ ଯେ, ଦେଶର ସେନାବଳର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଏକଜୁଟ ହୋଇ ଆଗକୁ ବଢିବୁ। ପ୍ରତିରକ୍ଷା ମନ୍ତ୍ରଣାଳୟ ଗତବର୍ଷ ସ୍ଥଳ, ବାୟୁ ଓ ନୌସେନା ନିୟମରେ ସଂଶୋଧନ ଆଣି ଏହି ବିଭାଗ ଗଠନ କରିଛନ୍ତି। ଏହି ସଂଶୋଧନ ପରେ ସିଡିଏସ 65 ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବ ବୋଲି ନିଷ୍ପତ୍ତି ନିଆଯାଇଛି।