ବେଙ୍ଗାଲୁରୁ: କଂଗ୍ରେସର ସଙ୍କଟ ମୋଚକ କୁହାଯାଉଥିବା କର୍ଣ୍ଣାଟକର ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ଘରେ ଚଢାଉ କରିଛି ସିବିଆଇ । ଦୁର୍ନୀତି ମାମଲାରେ ହୋଇଥିବା ଏହି ଚଢାଉରେ ଶିବକୁମାରଙ୍କ ଘରୁ ପାଖାପାଖି 57 ଲକ୍ଷ ଟଙ୍କା ଓ କିଛି ଜରୁରୀ କାଗଜପତ୍ର ସିବିଆଇ ଜବତ କରିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ଘଟଣାରେ ପୂର୍ବତନ ମନ୍ତ୍ରୀ ଶିବକୁମାରଙ୍କ ବିରୋଧରେ 74 କୋଟି ଟଙ୍କାର ବେନାମ ସମ୍ପତ୍ତିକୁ ନେଇ ସିବିଆଇ ଏକ ମାମଲା ରୁଜୁ କରିଛି । ଏହି ପ୍ରସଙ୍ଗରେ ଡି.କେ ଶିବକୁମାର କହିଛନ୍ତି ଯେ ମୋ ବିରୋଧରେ ମାମଲା ଦାଏର କରିବା ଭୁଲ, ମୁଁ କେବଳ ରାଜ୍ୟର ରାଜନେତା ନୁହେଁ। ଏହା ନିଶ୍ଚିତ ଭାବରେ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ପ୍ରତିକ୍ରିୟା ଦେଇଛନ୍ତି ଶିବକୁମାର ।
ସୋମବାର ଶିବକୁମାର ଏବଂ ତାଙ୍କ ଭାଇ ସୁରେଶଙ୍କ 15ରୁ ଅଧିକ ସ୍ଥାନରେ ସିବିଆଇର 60 ଜଣିଆ ଅଧିକାରୀଙ୍କ ଟିମ ଚଢାଉ କରିଥିଲା। ଏଥିରେ ଶିବକୁମାରଙ୍କ ପୂର୍ବତନ ବାସଭବନ ଦୋଦଲାୱାଲ୍ଲୀ, କନକପୁରା ଏବଂ ସଦାଶିବ ନାଗର ସାମିଲ ରହିଥିଲା ।