ଚଣ୍ଡିଗଡ: ପିଏମ-କେୟାର ପାଣ୍ଠିକୁ ଦାନ କରିଥିବା ଚୀନ କମ୍ପାନୀର ଟଙ୍କା ଫେରସ୍ତ କରିଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ଦୃଷ୍ଟିରେ ରଖି ସେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଏଭଳି କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅମରିନ୍ଦର ସିଂହ କହିଛନ୍ତି, 'କୋରୋନା ଭାଇରସ ବିରୋଧରେ ଲଢିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଗଠିତ ପିଏମ-କେୟାର ପାଣ୍ଠି ଚୀନର କିଛି କମ୍ପାନୀରୁ ଦାନ ଗ୍ରହଣ କରିଛି। ଏହି ସମୟରେ ଚୀନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ମୁଁ ଭାବୁଛି । ଆମ ଦେଶର ଯବାନଙ୍କୁ ହତ୍ୟା କରିଥିବା ଚୀନର ଟଙ୍କା ଆମେ ନେବା ଉଚିତ ନୁହେଁ ।'
ତେବେ ଅମରିନ୍ଦର ସିଂହ କିଛି ଚୀନ କମ୍ପାନୀର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ଯେଉଁମାନେ ପିଏମ-କେୟାର ପାଣ୍ଠିକୁ ଦାନ କରିଛନ୍ତି । ସେ କହିଛନ୍ତି, 'କେତେ ଟଙ୍କା ଆସିଛି ତାହା ଜରୁରୀ ନୁହେଁ । ଚୀନ କମ୍ପାନୀଗୁଡିକରୁ ଗୋଟିଏ ଟଙ୍କା ବି ଆସିଥିଲେ ତାହା ସେମାନଙ୍କୁ ଫେରାଇ ଦେବା ଉଚିତ । କାରଣ ସେମାନେ କୋରୋନା ଭାଇରସ ଏବଂ ଭାରତ ବିରୋଧରେ ଚୀନର ଆକ୍ରୋଶ ପାଇଁ ଦାୟୀ ।'
ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଦଲାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କଂଗ୍ରେସ ଶାସନକାଳରେ ଚୀନ ସହ ଥିବା ସମ୍ପର୍କକୁ ନେଇ ଶାସକ ଦଳ ବିଜେପି କଂଗ୍ରେସକୁ ଘେରୁଥିବା ବେଳେ ବିଜେପି ସରକାର ଏବଂ ଚୀନର ସମ୍ପର୍କ ଉପରେ ପ୍ରଶ୍ନ ଉଠାଉଛି କଂଗ୍ରେସ । ତେବେ ଚୀନ କମ୍ପାନୀରୁ ପିଏମ କେୟାର ଫଣ୍ଡକୁ ଆସିଥିବା ଟଙ୍କାକୁ ନେଇ ରବିବାର କଂଗ୍ରେସ ବିଜେପି ଉପରେ ବର୍ଷିଥିଲା । ଚୀନ ସହ ବିବାଦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଏମ-କେୟାର ପାଣ୍ଠିରେ ଚୀନ କମ୍ପାନୀର ଟଙ୍କା କାହିଁକି ଆସିଛି ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା ।