ନୂଆଦିଲ୍ଲୀ: କୋରୋନା ପାଇଁ ତିରୁମାଲାରେ ଥିବା ଭଗବାନ ବାଲାଜୀଙ୍କ ମନ୍ଦିର ବନ୍ଦ ରହିବ। ଲକଡାଉନ ଅବଧି ବଢାଇ ଦିଆଯିବା ପରେ ସାଧାରଣ ଦର୍ଶନ ମେ 3 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବାଲାଜୀଙ୍କ ସମସ୍ତ ରୀତିନୀତି ଓ ପୂଜା ପଦ୍ଧତିକୁ ବିନା ଗହଳିରେ ପୃଥକ ଭାବେ କରାଯିବା ବୋଲି ତିରୁମାଲା ତିରୁପତିଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ସିଙ୍ଗଲ କହିଛନ୍ତି।
ସୂଚନା ଥାଉକି, ମଙ୍ଗଳବାର ପୂର୍ବରୁ ଲାଗୁ ହୋଇଥିବା 21 ଦିନିଆ ଲକଡାଉନ ଅବଧି ଶେଷ ହୋଇଛି। ଏହା ପରେ ଦେଶରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ମେ 3 ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।
ଏହାସହ ଭାରତରେ 11 ହଜାର ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 700 ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି କୋରୋନା ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା 377ରେ ପହଞ୍ଚି ଥିବା ବେଳେ 306 ଜଣ ଏବେ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରେ ଦର୍ଶାଯାଇଛି ।