ଚେନ୍ନାଇ: ତାମିଲନାଡୁର ତ୍ରିପୁରା ଜିଲ୍ଲାରେ ଗୁରୁବାର ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କେଏସଆରଟିସି ବସ୍ ଏବଂ କଣ୍ଟେନର ଲୋରି ମଧ୍ୟରେ ଧକ୍କା ହେବା ଫଳରେ 20 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 24 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତ୍ରିପୁରା ଜିଲ୍ଲାର ଅବିନାଶି ସହର ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ସୂଚନା ମୁତାବକ, ବସ୍ଟି କର୍ଣ୍ଣାଟକର ବେଙ୍ଗାଲୁରୁରୁ କେରଳର ଏର୍ଣ୍ଣାକୁଲମ ଅଭିମୁଖେ ଯାଉଥିଲା । ଏହି ସମୟରେ ବସ୍ଟି ତାମିଲନାଡୁର ଅବିନାଶି ନିକଟରେ ଲୋରିକୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସ୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ରୂପରେ ଲୋରି ତଳେ ଚାପି ହୋଇଯାଇଥିଲା । ଦୁର୍ଘଟଣାରେ ବସ୍ର 20 ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ସେପଟେ ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । ଏହା ସହିତ ସେ ଉଦ୍ଧାରକାର୍ଯ୍ୟରେ ପଡୋଶୀ ରାଜ୍ୟ ତାମିଲନାଡୁକୁ ସାହାଯ୍ୟ କରିବା ପାଇଁ ନିଜର 2 ମନ୍ତ୍ରୀ ସହଯୋଗୀଙ୍କୁ ସେଠାକୁ ପଠାଇଛନ୍ତି । ଆହତଙ୍କ ଚିକିତ୍ସାରେ ସାହାଯ୍ୟ କରିବା ସହ କେରଳ ନାଗରିକଙ୍କ ମୃତଦେହ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇବାକୁ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ