ନୂଆଦିଲ୍ଲୀ: ସୀମାର ଉଭୟ ପାର୍ଶ୍ବରେ ଥିବା ସେନାର ସମ୍ପର୍କ କେବଳ ଗୁଳି ବାରୁଦର ନୁହେଁ । ଦେଶର ସୁରକ୍ଷା ପାଇଁ ଶତ୍ରୁକୁ ନିପାତ କରିବାକୁ ସବୁବେଳେ ତୟାର ରହୁଥିବା ସେନା ପାଖରେ ବି ଅଛି ପ୍ରତିପକ୍ଷଙ୍କ ପ୍ରତି ଢେର ସାରା ଭଲପାଇବା । ଆଜି ଇଦ୍ ଅବସରରେ ଭାରତ-ବାଂଲାଦେଶ ଏବଂ ଭାରତ-ପାକିସ୍ତାନ ସେନା ପରସ୍ପରକୁ ମିଠା ଖୁଆଇ ପୁଣିଥରେ ସଦଭାବନାର ବାର୍ତ୍ତା ଦେଇଛନ୍ତି ।
ଆଜି ଇଦ୍ । ଚଳଚଞ୍ଚଳ ୱାଘା-ଅଟାରୀ ଏବଂ ଇଣ୍ଡୋ-ବାଂଲାଦେଶ ବୋର୍ଡର । କିନ୍ତୁ ଯୁଦ୍ଧ କି ଯୁଦ୍ଧ ପ୍ରସ୍ତୁତି ପାଇଁ ନୁହେଁ । ଶ୍ରଦ୍ଧା, ଶାନ୍ତି ଏବଂ ସଦଭାବନାର ବାର୍ତ୍ତା ଦେବା ପାଇଁ । ସେନା ହାତରେ ବନ୍ଧୁକ ନାହିଁ । ବରଂ ଅଛି ପ୍ରେମର ସନ୍ଦେଶ । ଯେଉଁ ହାତରେ ବନ୍ଧୁକ ଧରି ପରସ୍ପର ଭିତରେ ଗୁଳି ବିନିମୟ ହୁଏ, ଆଜି ସେ ହାତ ଖୁଆଇଛି ମିଠା । ଆଉ ପ୍ରତିପକ୍ଷ ହାତଠୁ ମଧ୍ୟ ଖାଇଛି ମିଠା ।
ମିଠା ଖୁଆଖୁଇର ଦୃଶ୍ୟ ଦେଇଥିଲା ପରସ୍ପର ପ୍ରତି ବିଶ୍ବାସର ବାର୍ତ୍ତା । ସବୁବେଳେ ପ୍ରତିପକ୍ଷଙ୍କୁ ଅବିଶ୍ବାସ ଦୃଷ୍ଟିରେ ଦେଖୁଥିବା ସେନା ଭିତରେ ଆଜି ନଥିଲା କାଣିଚାଏ ବି ଅବିଶ୍ବାସ । କାହିଁକି ନା ଆଜି ଇଦ୍ । ଶାନ୍ତି ଓ ସଦଭାବନାର ପର୍ବ । ଆଉ ଏଭଳି ପବିତ୍ର ପର୍ବରେ ଯେ ପ୍ରତିପକ୍ଷ ଧୋକା ଦେବେ, ସେମିତି କିଛି ଚିନ୍ତାଧାରାର ଚିହ୍ନବର୍ଣ୍ଣ ନଥିଲା ।
ସବୁବେଳେ ପଛପଟୁ ଛୁରାମାଡ କରିଥାଏ ପାକିସ୍ତାନ ସେନା । ହେଲେ ଆଜି ପ୍ରତିପକ୍ଷ ସେନାଙ୍କ ସାମ୍ନାରେ ଛିଡା ହୋଇ ନିଜେ ଆଣିଥିବା ମିଠା ଖୁଆଇଥିଲା ଏବଂ ସେମାନଙ୍କ ହାତରୁ ମିଠା ଖାଇଥିଲେ ।