ଲକ୍ଷ୍ନୌ: ବର୍ତ୍ତମାନ ମହାମାରୀ କୋରୋନା ସ୍ଥିତିରେ ବି ମାନବିକତା ହରାଇଛନ୍ତି ଲୋକେ । ଉତ୍ତରପ୍ରଦେଶ ଲକ୍ଷ୍ନୌ ବଳରାମପୁରରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଦୃଶ୍ୟ । ରାସ୍ତାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ମୁନସିପାଲଟି କର୍ମଚାରୀ କୋରୋନା ଜନିତ ମୃତ୍ୟୁ ଭାବି ଆବର୍ଜନା ଗାଡିକୁ ଫୋପାଡି ଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ ।
ଦୁର୍ଭାଗ୍ୟର ବିଷୟ ଯେ, ଘଟଣାସ୍ଥଳରେ ଆମ୍ବୁଲାନ୍ଶ କର୍ମଚାରୀ ଉପସ୍ଥିତ ଥିଲେ ବି ଏହାକୁ ଅଣଦେଖା କରିଥିଲେ । କୋରୋନା ମୃତ୍ୟୁ ଭାବି କେହି ମୃତଦେହ ପାଖ ମାଡିନଥିଲେ । ତେବେ ବ୍ୟକ୍ତି ଜଣକ ବଳରାମପୁରର 43 ବର୍ଷୀୟ ମହମ୍ମଦ ଅନଓ୍ବର ବୋଲି ଜଣାପଡିଛି । କୌଣସି କାମରେ ସେ ସ୍ଥାନୀୟ ସରକାରୀ ଅଫିସ ଆସିଥିଲେ । ହେଲେ ସେଠାରେ ହଠାତ ବେହୋସ ହୋଇ ପଡିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅନୱରଙ୍କୁ ଆବର୍ଜନା ଗାଡିରେ ଫିଙ୍ଗିବା ବେଳେ ଘଟଣାସ୍ଥଳରେ ପୋଲିସ ମଧ୍ୟ ଉପସ୍ଥିତ ଥିବା ଭିଡିଓରେ ଦେଖାଯାଇଛି । ମୁନସିପାଲଟି କର୍ମଚାରୀମାନେ ହିଁ ତାଙ୍କୁ ଅଳିଆ ଗାଡିରେ ଫିଙ୍ଗୁଥିବାର ଦୃଶ୍ୟ ରହିଛି । ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟତା ଜଣାପଡିବ ବୋଲି ବଳରାମପୁର ପୋଲିସ କହିଛି ।