ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର । ଯଦିଓ ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହେଉଛି କିନ୍ତୁ ବିଜେପି ଆପ ମଧ୍ୟରେ ଡାଇରେକ୍ଟ ଫାଇଟ ହେଉଛି । ଯେକୌଣସି ମତେ ଆପକୁ କ୍ଷମତାଚ୍ୟୁତ ପାଇଁ ପଣ କରିଛି ବିଜେପି । ଯେଉଁଥିପାଇଁ ଦଳ ନିଜର ସମସ୍ତ ବ୍ରିଗେଡିୟର ଯୋଦ୍ଧାଙ୍କୁ ଏବେ ମୈଦାନକୁ ଛାଡିଛି । ସମସ୍ତ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି । ଦଳର ବିଜୟ ପାଇଁ ଦଳୀୟ ନେତାମାନେ ଘରକୁ ଘର ଯାଇ ପ୍ରଚାର କରୁଥିବା ବେଳେ ରାଜରାସ୍ତାରେ ଚାଲିଛି ସଭା ସମିତି ଶୋଭାଯାତ୍ରା ।
ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରବାସୀ ଓଡିଆ ଭୋଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ପ୍ରାୟ 5 ଲକ୍ଷ ପ୍ରବାସୀ ଓଡିଆ ଭୋଟର ଚଳିତ ବର୍ଷ ମତଦାନ କରିବେ । ଏହି ପ୍ରବାସୀଙ୍କ ଭୋଟ ଏବେ ଯେଉଁଦଳକୁ ମିଳିବ ସେହିଦଳ ନିଶ୍ଚିତ ରୂପେ ସୁରକ୍ଷିତ ରହିବ । ତେଣୁ ପ୍ରବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ସବୁ ଦଳ ଉଦ୍ୟମ ଆରମ୍ଭ କରିଛନ୍ତି ।
ଏହି ରଣନୀତିରେ ଆଗରେ ଅଛି ଭାରତୀୟ ଜନତା ପାର୍ଟି ବିଜେପି । ଦଳ ପ୍ରବାସୀ ଓଡିଆ ରହୁଥିବା ଅଞ୍ଚଳ ଲକ୍ଷ୍ମୀ ନଗର, ପୁଷ୍ପ ବିହାର, ବିଶ୍ବାସ ନଗର, ଆମ୍ବେଦକର ନଗର, ତୁଗଲକାବାଦ ଓ ସୁଲତାନପୁରରେ ପ୍ରଚାର ଅଭିଯାନକୁ ବ୍ୟାପକ କରିଛି । କିନ୍ତୁ ଏଥିରେ କେନ୍ଦ୍ରୀୟ ବିଜେପି ନେତାଙ୍କ ବଦଳରେ ଓଡିଆ ବିଜେପି ନେତା ମୁଖ୍ୟ ଭୂମିକା ନେଇଛନ୍ତି । ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦମ ଲଗାଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ତଥା ଫାୟାର ବ୍ରାଣ୍ଡ ନେତା ସମ୍ବିତ ପାତ୍ର, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ଓ ସାଂସଦ ସୁରେଶ ପୂଜାରୀ । ଏହି ନେତା ମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତକରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ପ୍ରବାସୀ ଓଡିଆ ଭୋଟର ମଧ୍ୟ ନିଜ ସମସ୍ୟାକୁ ଓଡିଆ ନେତାଙ୍କ ଆଗରେ ବଖାଣୁଛନ୍ତି ।
ତେବେ ଦେଖିବାର କଥା ଏହି ପ୍ରବାସୀ ଓଡିଆଙ୍କୁ କେତେ ଆକୃଷ୍ଟ କରିପାରୁଛନ୍ତି ଓଡିଆ ବିଜେପି ନେତା ତାହା ସ୍ପଷ୍ଟ ହେବ ଫେବୃୟାରୀ 11ରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ