ଲକ୍ଷ୍ମୌ: ବିଜେପି ବିଧାୟକଙ୍କ ଦବଙ୍ଗଗିରି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ରାତିଅଧରେ ଅଶାଳୀନ ବ୍ୟବହାର ନେଇ ସଙ୍ଗୀନ ଅଭିଯୋଗ। ଉତ୍ତରପ୍ରଦେଶ ତିରୱା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ କୌଳାଶ ସିଂ ରାଜପୁତ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପରେ ପହଁଞ୍ଚି କର୍ମଚାରୀଙ୍କୁ ଦୁର୍ବବ୍ୟବହାର କରିଥିବା ଭିଡିଓ ଭାଇରାଲ ହେଉଛି।
ବିଧାୟକ ହଠାତ୍ ଉତ୍ତକ୍ଷିପ୍ତ ହୋଇ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଉଥିବା ନଜର ଆସିଥିଲେ। ଏହା ପରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇବା ପୂର୍ବରୁ ବିଧାୟକ ଜଣକ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।
ଏପଟେ ଘଟଣାକୁ ବିଧାୟକ ଖଣ୍ଡନ କରିବା ସହ କହିଛନ୍ତି ଯେ ଏହି ଘଟଣା ଜୁନ୍ 22 ରେ କାନପୁରରୁ ଫେରୁଥିବା ବେଳେ ଘଟିଥିଲା। ରାତି ପ୍ରାୟ 9-10 ସମୟରେ ତାଙ୍କ ଡ୍ରାଇଭର ଇନ୍ଧନ ଦେବା ପାଇଁ ତିରୱାସ୍ଥିତ ଏକ ପମ୍ପରେ ଅଟକି ଯାଇଥିଲେ।
ତେବେ ଏହି ପେଟ୍ରୋଲ ପମ୍ପର ବ୍ୟାପକ ଠକେଇ ଅଭିଯୋଗ କରି ବିଧାୟକ ଦାବି କରିଛନ୍ତି ଯେ ମିଟର ଚାଲିବା ଆରମ୍ଭ ହୋଇଥିଲେ ମଧ୍ୟ ପାଇପରୁ ଇନ୍ଧନ ବାହାରୁ ନଥିଲା। ବିଧାୟକ ଜଣକ ତାଙ୍କ କାର୍ଯ୍ୟକଳାପ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ କହିଛନ୍ତି ଯେ ପମ୍ପରେ ଥିବା ମଦ୍ୟପ କର୍ମଚାରୀମାନେ ତାଙ୍କୁ ଖରାପ ଭାଷା ବ୍ୟବହାର କରିଥିଲେ। ଯାହାଫଳରେ ତାଙ୍କୁ ପାଟିରୁ କିଛି ଖରାପ ଶଦ୍ଦ ଖସି ଯାଇଥିଲା।
ଗ୍ରାହକଙ୍କୁ ପ୍ରତାରଣା କରିବାବେଳେ ବିଧାୟକ ପେଟ୍ରୋଲ ପମ୍ପକୁ ଜିଲ୍ଲାର "ନମ୍ବର 1" ବୋଲି ଅଭିହିତ କରିଥିଲେ। ସେ କହିଛନ୍ତି ଯଦି ଜଣେ ବିଧାୟକଙ୍କୁ ଏଠାରେ ଠକା ଯାଉଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଳ୍ପନା କରନ୍ତୁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ