ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉଷ୍ମ ରହିଛି ଦେଶର ରାଜନୀତି । ବିପକ୍ଷ ଏହି ଆଇନର ଜୋରଦାର ବିରୋଧ କରିବାରେ ଲାଗିପଡିଛି । କେରଳ ବିଧାନସଭାରେ ମଧ୍ୟ ସିଏଏ ବିରୁଦ୍ଧରେ ରିଜୋଲୁସନ ପାରିତ ହୋଇସାରିଛି । ଏହାକୁ ଦୃଷ୍ଟିରେ ରଖି ନୂଆବର୍ଷ ଆରମ୍ଭ ସହ ସିଏଏକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବଡ ଯୋଜନା ପ୍ରସ୍ତୁତ କରିଛି ବିଜେପି ।
ସିଏଏକୁ ନେଇ ଜନ ଜାଗରଣ ଆରମ୍ଭ କରିବାକୁ ଯାଉଛି ବିଜେପି । ଏହି ଜନ ଜାଗରଣର ନେତୃତ୍ବ ନେବେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା । ଗୁରୁବାର ସଂଧ୍ୟା 6ଟାରେ ନଡ୍ଡା ଭଦୋଦରାର ସ୍ବାମୀ ନାରାୟଣ ମନ୍ଦିର ଗ୍ରାଉଣ୍ଡରେ ଜନ ଜାଗରଣ ଅଭିଯାନରେ ସାମିଲ ହେବେ । ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପିର ଏହି ମେଗା ଅଭିଯାନ ଆଗାମୀ 20 ଦିନ ପର୍ଯ୍ୟନ୍ତ ଚାଲିବ ।
ବିଜେପି ଘର ଘର ବୁଲି ସିଏଏ ଉପରେ ଲୋକଙ୍କ ସହ ଆଲୋଚନା କରିବ । ସାରା ଦେଶରେ 1 ହଜାର ରାଲିର କାର୍ଯ୍ୟକ୍ରମ ରହିଛି । 250 ପ୍ରେସ କନଫରେନ୍ସ ମଧ୍ୟ ଆୟୋଜନ ହେବ । ପଞ୍ଚାୟତ ଓ ଓ୍ବାର୍ଡ ସ୍ତରରେ ବି ବୈଠକ ହେବ । ଏହି ଅଭିଯାନ ପଛରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ରଣନୀତି କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି । ଅମିତ ଶାହ ବୁଧବାର ସଂଧ୍ୟାରେ ବିଜେପି କାର୍ଯ୍ୟାଳୟରେ ଜେପି ନଡ୍ଡା, ଭୁପେନ୍ଦ୍ର ଯାଦବ ଓ ବିଏଲ ସନ୍ତୋଷଙ୍କ ସହ ବୈଠକ କରିଥିଲେ ।