ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପିର ଶୋଚନୀୟ ପରାଜୟ ହୋଇଛି । ଗୈରିକ ଦଳ ଆଗରେ ହେମନ୍ତ ସୋରେନଙ୍କ ନେତୃତ୍ବାଧିନ ମେଣ୍ଟ ଭାରି ପଡିଛି । ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ ବିଜେପିକୁ ଜବରଦସ୍ତ ଝଟକା ମିଳିଛି । ବିଜେପି ରାଜ୍ୟରୁ କ୍ଷମତା ହରାଇବା ପରେ ଏହାର ପ୍ରଭାବ ପଡିଛି କେନ୍ଦ୍ରୀୟ ବିଜେପି ଉପରେ । ତୁରନ୍ତ ପରାଜୟର ସମୀକ୍ଷା କରିବେ କେନ୍ଦ୍ରୀୟ ନେତା ।
ଝାଡଖଣ୍ଡରେ ପଦ୍ମ ଝଡିଯିବା ପରେ ପରାଜୟର କାରଣ ଖୋଜିବ ଦଳ। ଦଳ ମୁଖ୍ୟାଳୟରେ ଏନେଇ ଝାଡଖଣ୍ଡର ରାଜ୍ୟସ୍ତରୀୟ ନେତା ଓ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ପରାଜୟର ମନ୍ଥନ କରାଯିବ । ଦଳର କିଛି ବରିଷ୍ଠ ନେତା ପରାଜୟ ପାଇଁ 5ଟି କାରଣ ଦର୍ଶାଉଛନ୍ତି ।
କାରଣ-1
ବିଜେପିର ଆଭ୍ୟନ୍ତରୀଣ ଆଲୋଚନା କହୁଛି ଦଳ ଏକୁଟିଆ ନିର୍ବାଚନ ଲଢିବା ମହଙ୍ଗା ପଡିଛି । ଯଦି ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ କିମ୍ବା ଅନ୍ୟ ଦଳ ସହ ମେଣ୍ଟ କରିଥାନ୍ତା ଫଳାଫଳ ଭିନ୍ନ ହୋଇଥାନ୍ତା । କାରଣ ଏଜେଏସୟୁ ଗତ ନିର୍ବାଚନରେ ବିଜେପି ସରକାରେ ସହଯୋଗୀ ଥିଲା । ଏହି ନିର୍ବାଚନରେ ବିଜେପି ଓ ଏଜେଏସୟୁ ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ଯାହା ଦଳ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।
କାରଣ-2
ଝାଡଖଣ୍ଡରେ ଦଳ ଓ ସରକାର ମଧ୍ୟରେ ତାଳମେଳର ଅଭାବ ଥିଲା । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ଦଳ ଅନ୍ତିମ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଫଳ ହୋଇଥିଲା । ରଘୁବର ସରକାର କରିଥିବା କାର୍ଯ୍ୟକୁ ଲୋକଙ୍କ ନିକଟରେ ଯେମିତି ପହଞ୍ଚିବା କଥା ତାହା ହୋଇପାରିନଥିଲା । ପୁରା ନିର୍ବାଚନରେ କେବଳ ପ୍ରଧାନମନ୍ତ୍ରୀଙ୍କ ନାଁରେ ଲଢିଲା ଦଳ। ଯଦ୍ବାରା ଜାତୀୟ ମୁଦ୍ଦାକୁ ଦଳ ଏଠି ଭରପୂର ଉପସ୍ଥାପନା କଲା। ଏବଂ ସ୍ଥାନୀୟ ସମସ୍ୟା ସୀମିତ ହୋଇଗଲା। ଫଳରେ ମତଦାତା ବିକଳ୍ପ ଖୋଜିଲେ ।
କାରଣ-3
ଆଉ ଏକ ଦଳ ପାଇଁ ବିପର୍ଯ୍ୟୟ ଆଣିଦେଲା ମୁଖ୍ୟମନ୍ତ୍ରୀ ଓ ଦଳୀୟ ବିଧାୟକଙ୍କ ମଧ୍ୟରେ ଦୂରତା ବଢିବା ଦ୍ବାରା । ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନେଇ ସବୁବେଳେ କାର୍ଯ୍ୟକ୍ରମ କରିଥିଲେ । ବିଧାୟକ ସରକାରଙ୍କ କାର୍ଯ୍ୟକ୍ରମକୁ ଠିକସେ ବୁଝିବାକୁ ବିଫଳ ହୋଇଥିବା ଦଳରେ ଚର୍ଚ୍ଚା ହେଉଛି । ଫଳରେ ବିଧାୟକଙ୍କ କ୍ଷେତ୍ରୀୟ ସମସ୍ୟା କିମ୍ବା ଉନ୍ନତି ମୂଳକ କାର୍ଯ୍ୟ ଯେମିତି ହେବା କଥା ହୋଇପାରିଲା ନାହିଁ ।
କାରଣ-4
ଏହାସହ ସରୟୁ ରାୟଙ୍କ ପରି ନେତାଙ୍କୁ ଦଳ ଅଣଦେଖା କରିବା ଫଳ ଭୋଗିଲା । କାରଣ ସେ ଦଳରେ ଥିଲେ ଦଳ ସପକ୍ଷରେ ଫଳାଫଳ ନିଶ୍ଚିତ କିଛି ଅଲଗା ହୋଇଥାନ୍ତା । 1995 ରୁ ଜାମସେଦପୁର ପୂର୍ବ ଆସନରୁ 5 ଥର ବିଧାୟକ ହୋଇଥିବା ରଘୁବର ଏବେ ନିଜେ ସେହି ଆସନରୁ ହାରିଗଲେ । ହାରିବାର ଏକମାତ୍ର କାରଣ ସରୟୁ ରାୟ ।
କାରଣ-5
ଝାଡଖଣ୍ଡ ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ଏଠି ଆଦିବାସୀଙ୍କ ସମସ୍ୟା ଅନେକ ରହିଛି । ଆଦିବାସୀଙ୍କ ଜଙ୍ଗଲ, ଜମି, ଜଳ ଭଳି ସମସ୍ୟା ରହିଛି ଯାହାକୁ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ଏହାସହ ଆଦିବାସୀ ଅଣଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହୁଛି । ବହୁ ମୁଷ୍ଟିମେୟ ଲୋକ ଆଦିବାସୀଙ୍କ ନାରେ ଜଙ୍ଗଲ ଜମି ହଡପ କରୁଛନ୍ତି । ଯାହା ସରକାରଙ୍କ ଦାୟିତ୍ବ ଥିଲା ସମାଧାନ କରିବାକୁ । କେବଳ ଗୋଟିଏ ଗୋଟିଏ ପଟ୍ଟାଖଣ୍ଡ ଦେବାଛଡା ଜମି ଦଖଲ ଦିଆଯାଇନଥିଲା । ଏହାସହ ରାଜ୍ୟ ଆଦିବାସୀ ବହୁଳ ହୋଇଥିଲେ ମଧ୍ୟ ଜଣେ ଆଦିବାସୀ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପନା କରିପାରିନଥିଲା।
ବିଜେପି ନିଜ ସମୀକ୍ଷାରୁ କଣ ଶିକ୍ଷା ଲାଭ କରୁଛି ଆଉ କଣ ପଦକ୍ଷେପ ନେଉଛି ତାକୁ ଅପେକ୍ଷା।