କେବଳ ସୁବିଧାବାଦୀ ରାଜନୈତିକ ମେଣ୍ଟ ପାଇଁ ନୁହେଁ, ବରଂ ନିର୍ବାଚନ ସମୟରେ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯେ କୌଣସି ପ୍ରକାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ଅବିବେକୀ ଯୁବ ଗୋଷ୍ଠୀ ସମୂହ ପାଇଁ ମଧ୍ୟ ବିହାର ସୁପରିଚିତ । ଏ ବର୍ଷ, ମୁକ୍ତ ଓ ସ୍ବଚ୍ଛ ପ୍ରକ୍ରିୟାରେ ନିର୍ବାଚନ ପରିଚାଳିତ କରାଇବାର ଯୋଗ୍ୟତା ପ୍ରତିପାଦିତ କରିବା ଲାଗି ଏବେ ପୁଣି ଥରେ ‘ନିର୍ବାଚନ ସଦନ’ (ନିର୍ବାଚନ କମିଶନ) ପାଇଁ, କୋଭିଡ୍-19 ରୂପରେ, ଅଗ୍ନିପରୀକ୍ଷାର ସମୟ ଉପନୀତ । ଆସନ୍ତା ନଭେମ୍ବର 2020 ସୁଦ୍ଧା 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । କୋରୋନା ଭୂତାଣୁର ପ୍ରଭାବ ପ୍ରଶମିତ ହେବା ପର୍ଯ୍ୟନ୍ତ ମୋଟ 7.2 କୋଟି ଭୋଟଦାତାଙ୍କ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ସମ୍ଭାବନାକୁ ପରଖି ଦେଖିବା ଲାଗି ଅନୁରୋଧ ଜଣାଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲିଖିତ ପତ୍ର ନିର୍ବାଚନ କମିଶନଙ୍କ ହସ୍ତଗତ ହେବାରେ ଲାଗିଛି । ସର୍ବଶେଷ ରିପୋର୍ଟ ଅନୁସାରେ, ବିହାରରେ ପ୍ରାୟ 17,000 ଲୋକ କୋଭିଡ୍ର ଶିକାର ହୋଇଛନ୍ତି ଏବଂ ଏହି ମାରାତ୍ମକ ରୋଗରେ ପ୍ରାୟ 500 ଲୋକଙ୍କ ଜୀବନହାନି ଘଟିଛି । ସବୁ ବିରୋଧୀ ଦଳ ମତରେ ଏହା ନିର୍ବାଚନ କରାଇବାର ସଠିକ୍ ସମୟ ନୁହେଁ ଏବଂ ରାଜ୍ୟରେ କୋଭିଡ୍ ସଂକ୍ରମଣର ଶିକାର ହୋଇଥିବା ଶେଷ ବ୍ୟକ୍ତି ଜଣକ ସୁସ୍ଥ ହୋଇଥିବା କଥା ଘୋଷିତ ନହେବା ପର୍ଯ୍ୟନ୍ତ ନିର୍ବାଚନ କମିଶନ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଉଚିତ । ହେଲେ, ରାଜ୍ୟ ନିର୍ବାଚନ କମିଶନ ଏଭଳି ସମସ୍ତ ଆଶଙ୍କାକୁ ଏଡ଼ାଇ ଯାଇଛନ୍ତି ଏବଂ ଉପଯୁକ୍ତ ପଦକ୍ଷେପ ଏବଂ ସତର୍କତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହିତ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ଆୟୋଜନ କରିବାକୁ ଇଚ୍ଛା ଜାହିର କରିଛନ୍ତି । ଗତ ବର୍ଷ ସେପ୍ଟେମ୍ବର 8 ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ସହିତ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନୀ ପ୍ରକ୍ରିୟାକୁ ସୁରୁଖୁରୁରେ ସଂପନ୍ନ କରାଇଥିବା ନିର୍ବାଚନ କମିଶନ, ଏବେ କୋରୋନା ମହାମାରୀ ରୂପକ ଝଡ଼ଝଞ୍ଜାକୁ ଦୃଷ୍ଟିରେ ରଖି ବିହାରରେ ନିର୍ବାଚନ ପାଇଁ ଏକ ସ୍ବତନ୍ତ୍ର ନିର୍ବାଚନୀ ସଂହିତା ଉନ୍ମୋଚନ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ ସମୟରେ, ରୋଡ୍ ଶୋ’ ଜରିଆରେ ପ୍ରଚାର ସମୟରେ, ଶୋଭାଯାତ୍ରାରେ ଏବଂ କର୍ତ୍ତବ୍ୟ ଉପରେ ପ୍ରତିବନ୍ଧକ ଜାରି ସହିତ ସାଧାରଣ ସଭାସ୍ଥଳରେ ଶାରୀରିକ ଦୂରତା ବଜାୟ ରଖିବା ଲାଗି ନିର୍ବାଚନ କମିଶନ ସଂହିତାବଦ୍ଧ ନିର୍ଦ୍ଦେଶ ଜାରି କରିଛନ୍ତି ।
ସମସ୍ତ ଭୋଟଦାତାମାନଙ୍କ ପାଇଁ ଗ୍ଲୋଭ୍ସ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହିତ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ପୃଥକବାସରେ ଥିବା ବ୍ୟକ୍ତିମାନଙ୍କୁ ସ୍ବତନ୍ତ୍ର ଭାବରେ ଭୋଟଗ୍ରହଣର ଶେଷ ପର୍ଯ୍ୟାୟରେ ଭୋଟ ଦେବାର ସୁଯୋଗ ପ୍ରଦାନ କରିବା ସହିତ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ନୂତନ ନିୟମ ପୁସ୍ତିକାରେ ସାମିଲ କରାଇବାର ପ୍ରସ୍ତାବ ରହିଛି । ବିହାର ରାଜ୍ୟ ନିର୍ବାଚନ କମିଶନ ହାତକୁ ନେଇଥିବା ଏଭଳି ଏକ କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦିତ କରାଇବା ଲାଗି ସମସ୍ତ ରାଜନୈତିକ ଦଳର ସକ୍ରିୟ ସହଯୋଗ ଆବଶ୍ୟକ । ଏହା ସହିତ ‘ଶାରୀରିକ ଦୂରତା ବଜାୟ’ ନୀତି ଅନୁସରଣ ପୂର୍ବକ ସତର୍କତା ଅବଲମ୍ବନକୁ ସୁନିଶ୍ଚିତ କରାଇବା ପାଇଁ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟଦାତାଙ୍କ ସଂଖ୍ୟା କେବଳ ଏକ ହଜାରରେ ସୀମିତ ରଖିବା ଏବଂ ଭୋଟଗ୍ରହଣ କେନ୍ଦ୍ର ସଂଖ୍ୟା ଏକ ଲକ୍ଷକୁ ବଢ଼ାଇବା ଭଳି ବ୍ୟବସ୍ଥା କରାଯାଉଛି । କୋରୋନା ବିଶ୍ବ ମହାମାରୀର ପ୍ରାଦୁର୍ଭାବ ଶୀର୍ଷ ସ୍ତରରେ ରହିଥିବା ବେଳେ ଏବଂ ଏହି ଭୂତାଣୁ ବଣନିଆଁ ଭଳି ବ୍ୟାପୁଥିବା ସମୟରେ ବିଶ୍ବର 34ଟି ଦେଶରେ ନିର୍ବାଚନ ଆୟୋଜିତ ହୋଇଯାଇଛି । ଏମିତି କି ଦକ୍ଷିଣ କୋରିଆରେ 10,000 ସଂକ୍ରମିତ ରୋଗୀ ଥିବା ବେଳେ ଏବଂ 220 ଜଣ ପ୍ରାଣ ହରାଇଥିବା ସମୟରେ ସେଠାରେ ସୁରୁଖୁରୁରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନିକଟରେ ଶ୍ରୀଲଙ୍କାରେ ମଧ୍ୟ ଶୃଙ୍ଖଳୀୟ ଭାବରେ ସଂସଦୀୟ ନିର୍ବାଚନ ହୋଇଥିଲା ।
କେବଳ ବିଦେଶୀ ଆକ୍ରମଣ ଏବଂ ଆଭ୍ୟନ୍ତରୀଣ ବିଦ୍ରୋହ ଭଳି ଅତି ଗୁରୁତର ପରିସ୍ଥିତି ବ୍ୟତୀତ ଅନ୍ୟ ସମୟରେ ନିର୍ବାଚନ ସ୍ଥଗିତ ରହିବା ଉଚିତ ନୁହେଁ ବୋଲି ସାମ୍ବିଧାନିକ ନିୟମ ରହିଛି ଏବଂ ସଂପ୍ରତି କୋଭିଡ୍ ସଂକଟ ଜନିତ ପରିସ୍ଥିତିରେ ଏହାର ପାଳନ କରିବା ଅପରିହାର୍ଯ୍ୟ ହୋଇ ପଡ଼ିଛି । ସାରା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରିବା ଲାଗି କେତେକ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବଦଳରେ ଭୋଟ କାଗଜ ବ୍ୟବହାର କରିବା, ସାମୂହିକ ସଭା ଓ ଶୋଭାଯାତ୍ରାକୁ ଅନୁମତି ଦେବା, ନିର୍ବାଚନ ପ୍ରଚାର ବାବଦ ଖର୍ଚ୍ଚ ସୀମା ବଢ଼ାଇବା ଏବଂ ଏଥିରୁ ଭୋଟରଙ୍କୁ ଦିଆଯାଉଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ବାବଦ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚରୁ ବାଦ ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ଯଦିଓ ବିଜେପି ଡିଜିଟାଲ ମଞ୍ଚରେ ଭର୍ଚୁଆଲ୍ ବା ଅନ୍ଲାଇନ୍ ରାଲି କରିବା ସପକ୍ଷରେ ରହିଛି, ତଥାପି ବିହାରରେ ମୋଟ ଲୋକସଂଖ୍ୟାର ମାତ୍ର 36 ପ୍ରତିଶତ ଲୋକଙ୍କ ପାଖରେ ଇଣ୍ଟରନେଟ୍ରେ ଭୋଟ୍ ସୁବିଧା ରହିଥିବା ବେଳେ ପ୍ରାୟ 24 ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ସେବା ଉପଲବ୍ଧ ହେଉଥିବା ଘଟଣା ଦଳର ପ୍ରଚାର କ୍ଷେତ୍ରରେ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ବାସ୍ତବ ପ୍ରଚାର ସମୟରେ କେତେକ ନିୟମ ପାଳନ ଲାଗି ନିର୍ବାଚନ କମିଶନ ଦେଇଥିବା ନିର୍ଦ୍ଦେଶ ମଧ୍ୟ ବିଜେପିକୁ ସୁହାଉ ନାହିଁ ଏବଂ ଏସବୁ ଅଞ୍ଚଳରେ ବାସ୍ତବିକ ସଭା ଓ ଶୋଭାଯାତ୍ରା କରିବାରେ ଦଳକୁ ସେତେ ବେଶୀ ସୁବିଧା ମିଳୁନାହିଁ ।
କେବଳ ଡିଜିଟାଲ ମଞ୍ଚରେ ଅନ୍ଲାଇନ୍ ସଭା ଓ ଶୋଭାଯାତ୍ରା ଯୋଗୁଁ ବିଜେପି ଲାଭବାନ ହେବ ବୋଲି କରାଯାଉଥିବା ଆପତ୍ତି ଦୃଷ୍ଟିରୁ ବିଚାର କଲେ ଦଳ ଏହାର ସଂପୂର୍ଣ୍ଣ ସାମର୍ଥ୍ୟ ଓ ସମ୍ବଳକୁ ପୂର୍ଣ୍ଣ ମାତ୍ରାରେ ଉପଯୋଗ କରିପାରିବ, କିନ୍ତୁ ଟିଭି ଓ ଉପଲବ୍ଧ ଅନ୍ୟାନ୍ୟ ମାଧ୍ୟମରେ ନିୟମିତ ଶୋଭାଯାତ୍ରାର ପ୍ରସାରଣ ସମେତ ଏହାର ପ୍ରଚାରକୁ ବ୍ୟାପକ କରାଯାଇଥିଲେ ଏହା ଦଳ ପାଇଁ ଆହୁରି ଲାଭଦାୟକ ସାବ୍ୟସ୍ତ ହୋଇପାରିଥାଆନ୍ତା । ନିର୍ବାଚନ କମିଶନଙ୍କ ନୂତନ ନିୟମ ପୁସ୍ତିକା ଅନୁସାରେ କୋଭିଡ୍ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ରାଜ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି ଏବଂ ରାଜ୍ୟରେ ଶାସନ କ୍ଷମତାରେ ଥିବା ଦଳର ଇଚ୍ଛା ଓ ନିର୍ଦ୍ଦେଶ ଅନୁସାରେ ପୋଲିସ ପରିଚାଳିତ ହେଉଥିବାରୁ ସେମାନେ ମିଥ୍ୟା ମାମଲାରେ ଲୋକଙ୍କୁ ଅଭିଯୁକ୍ତ କରି ଫସାଇ ଦେବେ ବୋଲି ବିରୋଧୀ ଦଳ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ପରିଶେଷରେ, ବିହାରର ‘ସିଂହାସନ ପାଇଁ ଖେଳ’ ସମୟରେ ଅନୁସୃତ ହେବାକୁ ଥିବା ନିର୍ବାଚନୀ ପ୍ରକ୍ରିୟାର ଅଂଶବିଶେଷ ରୂପରେ ଏକ ନୂତନ ଆଇନ ପୁସ୍ତିକା ଖୁବ୍ ଶୀଘ୍ର ଉନ୍ମୋଚିତ ହେବାକୁ ଯାଉଛି ।