ପାଟନା: ବିହାର ବିଧାନସଭା ନିର୍ବାଚନ ଯଥେଷ୍ଟ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ନିର୍ବାଚନ ତାରିଖ ଘୋଷଣାର ଢେର ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ଆଉ ଏହି ଦଳ ଡିଆଁ ପର୍ବ ଆରଜେଡି ଓ ଜେଡିୟୁ ମଧ୍ୟରେ ଜାରି ରହିଛି ।
ବର୍ତ୍ତମାନ ରାଜ୍ୟର ଆଉ ଏକ ଚର୍ଚ୍ଚିତ ଖବର ଚାଲିଛି ଯେ ଆସନ୍ତାକାଲି (ଗୁରୁବାର) ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ଜେଡିୟୁରେ ସାମିଲ ହେବେ । ଚନ୍ଦ୍ରିକାଙ୍କ ସମେତ ଅନ୍ୟ 2 ବିଧାୟକ ଅର୍ଥାତ ମୋଟ 3 ଜଣ ଗୁରୁବାର ଜେଡିୟୁରେ ସାମିଲ ହେବେ ।
ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଓ ଦଳର 2 ବିଧାୟକ ଫରାଜ ଫାତମୀ ଓ ଜୟ ବର୍ଦ୍ଧନ ଯାଦବ ଜେଡିୟୁରେ ସାମିଲ ହେବେ । ଚନ୍ଦ୍ରିକା ରାୟ ହେଉଛନ୍ତି ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଶ୍ବଶୁର । ବିବାହର କିଛିଦିନ ପରେ ତେପ ପ୍ରତାପ ଓ ପତ୍ନୀ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାପରେ ଚନ୍ଦ୍ରିକା ଆରଜେଡି ଛାଡିଥିଲେ ।
ସେହିପରି ଜେଡିୟୁରେ ସାମିଲ ହେବାକୁ ଥିବା ଜୟବର୍ଦ୍ଧନ ଯାଦବ ପାଟଣା ପାଲିଗଞ୍ଚରୁ ବର୍ତ୍ତମାନ ବିଧାୟକ ଅଛନ୍ତି । ଆଉ ଜଣେ ସାମିଲ ହେବାକୁ ଥିବା ବିଧାୟକ ଦରଭଙ୍ଗାର କେୱଟି ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ଉଭୟ ବିଧାୟକଙ୍କୁ ଦଳ 2 ଦିନ ପୂର୍ବେ ବହିଷ୍କାର କରିଥିବା ବେଳେ ଚନ୍ଦ୍ରିକା ପୂର୍ବରୁ ଦଳ ଛାଡିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ