ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ । ଏବେ ଠାରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି । ଆଜି(ରବିବାର) ଦଳର ପୂର୍ବତନ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହା ବିହାରରେ ରାଲି କରିବେ । ତେବେ ଏହି ରାଲି ସମ୍ପୂର୍ଣ୍ଣ ଭର୍ଚୁଆଲ ରହିବ ।
ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ଭର୍ଚୁଆଲ ରାଲି ମାଧ୍ୟମରେ ‘ବିହାର ଜନସମ୍ବାଦକୁ’ ସମ୍ବୋଧିତ କରିବେ । କୋରୋନା ସଂକ୍ରମଣ ପାଇଁ ଏହି ରାଲିକୁ ସମ୍ପୂର୍ଣ୍ଣ ଅନଲାଇନ କରାଯାଇଛି । ଏହି ରାଲିରେ ଅମିତ ଶାହାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ ।
ବିହାରରେ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଶାହାଙ୍କ ଏହି ଅନଲାଇନ ରାଲି ନିର୍ବାଚନ ପ୍ରଚାର ପ୍ରସାରର ଆରମ୍ଭ ବୋଲି କୁହାଯାଇଛି । ସେପଟେ ବିହାରର ରାଷ୍ଟ୍ରୀୟ ଜନତା ଦଳ ନିର୍ବାଚନ ପ୍ରକ୍ରିୟା କିଛି ଦିନ ଆଗରୁ ଆରମ୍ଭ କରି ଦେଇଛନ୍ତି । ସେହିପରି ତେଜସ୍ବୀ ଯାଦବ ମଧ୍ୟ ବସ ମାଧ୍ୟମରେ ରାଲି କରିଥିଲେ । ବିଜେପି କିନ୍ତୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି ।
ଏହି ରାଲି ରାଜ୍ୟ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ପାଟନା ଠାରୁ ଏହି କାର୍ଯ୍ୟକ୍ରମ କରାଯିବ। ଏହି ଦିନ ରାଜ୍ୟ ସଭାପତି ଡ . ସଞ୍ଜୟ ଜୟସୱାଲ, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ସମେତ ସମସ୍ତ ବରିଷ୍ଠ ନେତା ମୁଖ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଏବଂ କେନ୍ଦ୍ରମନ୍ତ୍ରୀ ରାମ ଭିଲାସ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସହିତ ମିଳିତ ଗଠବନ୍ଧନ ରହିଛି । ନୀତୀଶ କୁମାରଙ୍କ ଅଧୀନରେ ବିଧାନସଭା ନିର୍ବାଚନ ହେବ ବୋଲି ଶାହା କହିଛନ୍ତି।
ଅମିତ ଶାହାଙ୍କ ଭର୍ଚୁଆଲ୍ ରାଲି ଶୁଣିବା ପାଇଁ ହ୍ବାଟ୍ସ ଆପ୍, ଫେସବୁକ୍, ଏସ୍ଏମ୍ଏସ୍, ଟ୍ୱିଟର, ଟେଲିଗ୍ରାମ ମାଧ୍ୟମରେ ବିଜେପିର ବରିଷ୍ଠ ନେତା, କାର୍ଯ୍ୟାଳୟର ଅଧିକାରୀ, ଜିଲ୍ଲା ମୁଖ୍ୟ, ମଣ୍ଡଳ ସଭାପତି ତଥା ବୁଥ୍ ସଭାପତିଙ୍କ ନିକଟକୁ ଏକ ଲିଙ୍କ୍ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ‘ବିଜେପି ଫର ବିହାର ଲାଇଭ’ ମାଧ୍ୟମରେ, 72 ଟି ବୁଥ, 45 ଟି ଜିଲ୍ଲାର 9547 ଶକ୍ତି କେନ୍ଦ୍ର ବ୍ୟତୀତ 1099 ଟି ମଣ୍ଡଳରେ ବିଜେପି କର୍ମୀ ଅମିତ ଶାହାଙ୍କ ସମ୍ବୋଧନ ଶୁଣିବେ।