ନୂଆଦିଲ୍ଲୀ: ଆଜି(ଗୁରୁବାର)ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ବିତୀୟ ପାଳି ଆରମ୍ଭ ହେବ । ସନ୍ଧ୍ୟା 7 ଟାରେ ରାଷ୍ଟ୍ରପତି ଭବନରେ ନିଜ ମନ୍ତ୍ରିମଣ୍ଡଳ ସହ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦି । ଏହି ସମାବେଶକୁ ଆସିବା ପାଇଁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଏଥିରେ ଯୋଗଦେବେନି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।
ଆଜି (ଗୁରୁବାର) ବିଧାନସଭାରେ ବିଧାୟକ ମାନଙ୍କ ଶପଥ ଗ୍ରହଣ ଥିବାରୁ ନବୀନ ସେଠାରେ ଉପସ୍ଥିତ ରହିବେ । ତେଣୁ ସେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇପାରିବେ ନାହିଁ ବୋଲି ଜଣାପଡିଛି । ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପାଇଁ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି ।
ପୂର୍ବରୁ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି କହିଥିଲେ । ସୂଚନା ଥାଉକି, ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିଛନ୍ତି । ତେବେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାରୁ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।