ଗୁଣ୍ଟୁର(ବାପଟଲା): ଦିନ ଥିଲା କେହି ସେମାନଙ୍କ ହାତ ଛୁଇଁବାକୁ ସାହାସ କରୁନଥିଲେ...ଏପରିକି ତାଙ୍କ ହାତ ଦେଖିଲେ ଏହା କେବଳ ଯେ ଭିକ୍ଷାବୃତ୍ତି ପାଇଁ ଉପଯୁକ୍ତ ପରି ମନେ ହେଉଥିଲା... କିନ୍ତୁ ଆଜି ସେହି ହାତ ତିଆରି ସାମଗ୍ରୀ ଅନେକ ଦେଶକୁ ରପ୍ତାନୀ ହେଉଛି ।
ବର୍ଷ 1960.... 'ସାଲ ମିଶନ ଆର୍ମି' ନାମକ ଏକ ସଂସ୍ଥା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ବାପଟଲାରେ ଥିବା କୁଷ୍ଠରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଥିଲେ । ମାଗଣା ଚିକିତ୍ସା କରାଇବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ କୁଷ୍ଠ ରୋଗୀ ଏଠାକୁ ଆସୁଥିଲେ । ଆଉ ଚିକିତ୍ସା ପାଇଁ ଆସୁଥିବା ହଜାରରୁ ଊର୍ଦ୍ଧ୍ବ କୁଷ୍ଠ ରୋଗୀ ଏଠାରେ ହିଁ ରହିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ବଞ୍ଚିବା ପାଇଁ ଭିକ୍ଷାବୃତ୍ତି ଆରମ୍ଭ କରିଥିଲେ । ସେମାନଙ୍କ ଏଭଳି ଦୟନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ସରକାର 1985ରେ ସେମାନଙ୍କ ପାଇଁ ଘର ତିଆରି କରିଥିଲେ । ସେମାନେ ରହୁଥିବା ସ୍ଥାନକୁ ବେଥାନୀ କଲୋନୀ କୁହାଯାଉଛି । ଏପରିକି ଏଠିକା କୁଷ୍ଠ ରୋଗୀଙ୍କ ପିଲାମାନେ ବି ଭିକ ମାଗିବା ଆରମ୍ଭ କରିଥିଲେ । କିନ୍ତୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ବେଥାନୀ କଲୋନୀ ଭିକାରୀ ସଂଘ ପକ୍ଷରୁ କଲୋନୀ ମହିଳା ଏବଂ ଝିଅମାନଙ୍କୁ ସିଲେଇ, ବୁଣିବା ଭଳି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ।
ଏଠାରେ ଥିବା ସଦସ୍ୟମାନେ ବ୍ୟାଗ, କମ୍ବଳ, ଏବଂ ରୋଷେଇ ସାମଗ୍ରୀ ଆଦି ବୁଣିବା କାମ ଆରମ୍ଭ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ତାଙ୍କ ହାତ ତିଆରି ସାମଗ୍ରୀକୁ ନେଇ ଦେଶବିଦେଶରେ ପ୍ରଶଂସା ମିଳିବାକୁ ଲାଗିଲା । ଆଉ ଯେଉଁ କୁଷ୍ଠରୋଗୀ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଗୁରୁତର ଥିଲା, ଦୀର୍ଘ ସମୟ ଧରି କାମ କରିପାରୁନଥିଲେ ସେମାନଙ୍କ ଝିଅ-ବୋହୁମାନେ ସଲେଇ କରିବା ଆରମ୍ଭ କରିଥିଲେ । ଆଉ ଧୀରେ ଧୀରେ ଉତ୍ପାଦନ ବଢିବାକୁ ଲାଗିଲା । ଛୋଟରୁ ଆରମ୍ଭ ହୋଇଥିବା ସିଲେଇ ଓ ବୁଣା କାମ ଏବେ କଲୋନୀବାସୀଙ୍କ ପାଇଁ ଆୟ ଉପାର୍ଜନର ଜରିଆ ହେବାରେ ଲାଗିଲା । ବର୍ତ୍ତମାନ ବେଥାନୀ ବୁଣାକାର ମହିଳାମାନେ ରଙ୍ଗୀନ ଗଦି ଏବଂ ଅନ୍ୟ ଆକର୍ଷଣୀୟ ସାମଗ୍ରୀ ବୁଣାରେ ବିଶେଷଜ୍ଞ ପାଲଟିଛନ୍ତି । ପାରମ୍ପରିକ ନଭାରଲୁମର ବ୍ୟବହାର କରି ସେମାନେ ଚମକୁଥିବା ସୂତା ତିଆରି କରୁଛନ୍ତି, ଆଉ ଏହି ସୂତାକୁ ବ୍ୟାଗ ସିଲେଇରେ ବ୍ୟବହାର କରିଥାନ୍ତି । ସେମାନଙ୍କ ତିଆରି ଡିଜାଇନ ସବୁଠାରୁ ଭିନ୍ନ ଏବଂ କୁଶଳୀ ।
ଏମାନଙ୍କ ହାତ ତିଆରି ସାମଗ୍ରୀକୁ ବଡବଡ କମ୍ପାନୀ କିଣିଥାଏ । ଯାହାକୁ ସେମାନେ ଦେଶ ବାହାରେ ବିକ୍ରି କରିଥାନ୍ତି । ଏହି ହସ୍ତଶିଳ୍ପ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ରପ୍ତାନୀ କରାଯାଇଥାଏ । ଆଉ ଏହା ମହିଳାଙ୍କ ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରେ । କିନ୍ତୁ ଦୁଃଖର ବିଷୟ ଯେ ସରକାରଙ୍କ ପକ୍ଷରୁ ଏଯାବତ ଏମାନଙ୍କୁ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ । ସାହାଯ୍ୟ ଆକାରରେ ସରକାର ସେମାନଙ୍କୁ କେବଳ ହେଲଥ କାର୍ଡ ଯୋଗାଇ ଦିଅନ୍ତୁ ବୋଲି ଏମାନେ ନିବେଦନ କରିଛନ୍ତି । ଏହି ମହିଳାଙ୍କ ସ୍ବାମୀମାନେ ଦିନ ମଜୁରିଆ ଭାବେ କାମ କରନ୍ତି । ଯାହା ସମୁଦ୍ରକୁ ଶଙ୍ଖେ ଭଳି । ଉଭୟଙ୍କ ରୋଜଗାରର ଅର୍ଥ ହିଁ ପରିବାର ଚଳାଇବାରେ ସକ୍ଷମ ହୋଇଥାଏ ।
ଦିନେ ସମାଜ ଏମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିଲା । ହେଲେ ଆଜି ଏହି ସମାଜ ସେମାନଙ୍କ ହାତ ତିଆରି ସାମଗ୍ରୀକୁ ପସନ୍ଦ କରୁଛି । ସମାଜରେ ସମ୍ମାନର ସହ ବଞ୍ଚିବାକୁ ଏମାନଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ