ରାୟପୁର: ଛତିଶଗଡ ବିଧାନସଭା ଅଧିବେଶନ ପ୍ରାରମ୍ଭରୁ ଗୃହରେ ବାଜିବ ‘ବନ୍ଦେ ମାତରମ।’ ଏହାପରେ ବାଜିବ ରାଜ୍ୟର ସରକାରୀ ସୀକୃତିପ୍ରାପ୍ତ ସଙ୍ଗୀତ। ଛତିଶଗଡ ସରକାରଙ୍କ ପକ୍ଷରୁ ନିଆଯାଇଛି ଏପରି ନିଷ୍ପତ୍ତି। ଡଃ ନରେନ୍ଦ୍ର ଦେବ ଭର୍ମାଙ୍କ ଦ୍ବାରା ଲିଖିତ ଛତିଶଗଡୀ ସଙ୍ଗୀତ 'ଆରପା ପୈରୀ କେ ଧାର,ମହାନଦୀ ହେ ଅପାର' ଗୀତକୁ ରାଜ୍ୟରେ ସରକାରୀ ସ୍ବୀକୃତପ୍ରାପ୍ତ ସଙ୍ଗୀତ ଭାବେ କ୍ୟାବିନେଟରେ ଘୋଷଣା କରାଯାଇଛି।
ଏହି ସଙ୍ଗୀତରେ ରାଜ୍ୟର ପୂର୍ଣ୍ଣ ଛବି ପ୍ରତିଫଳିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ପୂର୍ବରୁ ନିୟମିତ ବାଜିଥାଏ। ହେଲେ ଚଳିତ ଥର କ୍ୟାବିନେଟ ବୈଠକ ସମୟରେ ଛତିଶଗଡର କୃଷିମନ୍ତ୍ରୀ ରବିନ୍ଦ୍ର ଚୌବେ ରାଷ୍ଟ୍ରୀୟ ସଙ୍ଗୀତ ବାଜିବାର ପ୍ରସ୍ତାବ ଦେଇଥିଲେ। ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଆରମ୍ଭ ପୂର୍ବରୁ ପ୍ରଥମେ ‘ବନ୍ଦେ ମାତରମ’ ଓ ଛତିଶଗଡର ରାଜ୍ୟ ସଙ୍ଗୀତ ବାଜିବ।
ଏନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିଜର ସମ୍ମତି ଜଣାଇଛନ୍ତି। ସେହିପରି ସମାନ ବୈଠକରେ ସରକାର 'ରାମ ଭାନ ଗମନ' ପଥକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସ୍ଥାନର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ସ୍ଥିର କରିଥିବା ମନ୍ତ୍ରୀ ଚୌବେ କହିଛନ୍ତି। ଏହାପରେ ରାଜ୍ୟରେ ଥିବା ବିଭିନ୍ନ ସ୍ଥାନ ତିରୁତୁରିଆ,ଚନ୍ଦାଖୁରି,ରାଜୀମ,ସିହାୱାକୁ ପର୍ଯ୍ୟଟନ ଓ ସାଂସ୍କୃତିକ ସ୍ଥଳୀର ମାନ୍ୟତା ପାଇଁ ସରକାର ସ୍ଥାନ ସ୍ଥିର କରିଥିବା ଜଣାପଡିଛି।