ଚଣ୍ଡିଗଡ: ଗତକାଲି ଗୁରୁଦାସପୁରର ବତାଲାରେ ହୋଇଥିବା ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ 19 ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟମାନଙ୍କର ପରିଚୟ ମିଳିପାରିନାହିଁ । ସେହିପରି 20 ଜଣ ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଗତକାଲି ଅପରାହ୍ନରେ ବତାଲାର ସମାଧ ରୋଡରେ ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖରେ ଥିବା 4ଟି କୋଠା, ଗୁରୁଦ୍ବାର, କମ୍ପ୍ୟୁଟର ସେଣ୍ଟର ଓ କାର ଗ୍ୟାରେଜ ଆଦି ଭାଙ୍ଗିଯାଇଥିଲା । ଏହି ଘଟଣାରେ ପଞ୍ଜାବ ସରକାରଙ୍କ ପକ୍ଷରୁ ମୃତକଙ୍କୁ 2 ଲକ୍ଷ, ଗୁରୁତରଙ୍କୁ 50 ହଜାର ଓ ଆହତଙ୍କୁ 25 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।