ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନ ହେବାକୁ ଯାଉଛି। ତେବେ 2016 ନିର୍ବାଚନରେ ଶାସକ ଦଳକୁ ସମର୍ଥନ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇସାରିଥିବା ଟ୍ବିଟର ଓ ଫେସବୁକ୍ ଏକ ନୂଆ ନିୟମକୁ ନେଇ ବିବାଦ ଘେରରେ । କିନ୍ତୁ ଭାରତରେ ଫେସବୁକ୍ ନିୟମ ଉପରେ ବିତର୍କ ଆରମ୍ଭ ହୋଇଛି। ଭାରତରେ ଫେସବୁକର ବିଶ୍ବସନୀୟତା ଉପରେ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ କରିଛନ୍ତି।
ଅସଦୁଦ୍ଦିନ ଓୱେସୀ ତାଙ୍କ ଟ୍ବିଟରେ ଲେଖିଛନ୍ତି,‘ ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଫେସବୁକର ଭିନ୍ନ ମାନ କାହିଁକି ରହିଛି ? ଏହା କି ପ୍ରକାର ନ୍ୟାୟପୂର୍ଣ୍ଣ ପ୍ଲାଟଫର୍ମ ? ଏହି ରିପୋର୍ଟ ବିଜେପି ପାଇଁ କ୍ଷତିକାରକ - ଫେସବୁକ୍ ସହିତ ବିଜେପିର ସମ୍ପର୍କ ପ୍ରକାଶ ପାଇଛି ଓ ଫେସବୁକ୍ କର୍ମଚାରୀଙ୍କ ଉପରେ ବିଜେପିର ନିୟନ୍ତ୍ରଣର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି ’।
ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଦିଗବିଜୟ ସିଂ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ଘେରିଛନ୍ତି । ଦିଗବିଜୟ ଟ୍ବିଟ୍ କରି କହିଛନ୍ତି, ‘ମାର୍କ ଜୁକରବର୍ଗ ଦୟାକରି ଏ ବିଷୟରେ ଆଲୋଚନା କରନ୍ତୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକ ଆଙ୍କୀ ଦାସଙ୍କୁ ଫେସବୁକରେ ନିଯୁକ୍ତ କରାଯାଇଛି ଯିଏ ସୋସିଆଲ ମିଡିଆରେ ମୁସଲମାନ ବିରୋଧୀ ପୋଷ୍ଟକୁ ଖୁସିରେ ଅନୁମୋଦନ କରୁଛନ୍ତି ’।
ପ୍ରକାଶଥାଉକି, ଏହି ସମଗ୍ର ବିବାଦ ଏକ ଆମେରିକୀୟ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରୁ ଆରମ୍ଭ ହୋଇଛି । ୱାଲ୍ ଷ୍ଟ୍ରିଟ୍ ଜେନେରାଲଙ୍କ ରିପୋର୍ଟ ଅନୁଯାୟୀ, ବିଜେପି ନେତା ଟିରାଜା ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗୁଳି କରାଯିବା ଉଚିତ୍। ସେ ମୁସଲମାନଙ୍କୁ ଦେଶଦ୍ରୋହୀ ବୋଲି ବର୍ଣ୍ଣନା କରି ମସଜିଦ ଭାଙ୍ଗିବାକୁ ଧମକ ଦେଇଥିଲେ। ଏହାକୁ ଜଣେ ଫେସବୁକ୍ କର୍ମଚାରୀ ବିରୋଧ କରିଥିଲେ ଓ ଏହାକୁ କମ୍ପାନୀର ନିୟମ ବିରୁଦ୍ଧରେ ବିବେଚନା କରାଯାଉଥିଲା, କିନ୍ତୁ ଭାରତର କମ୍ପାନୀର ବରିଷ୍ଠ କର୍ମଚାରୀଙ୍କ ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏହାପରେ ଓୱେସୀ ଓ ଦିଗବିଜୟ ଫେସବୁକର ବିଶ୍ବସନୀୟତା ଉପରେ ପ୍ରଶ୍ନ କରିଥିଲେ ।